ରାପ୍‌ ସଙ୍ଗ୍‌ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ

ଜୟପୁର,୨୭ା୩(ନି.ପ୍ର.) : ରାପ୍‌ ସଙ୍ଗ୍‌ ମାଧ୍ୟମରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ ପୁଣି ଲୋକଙ୍କ ମନ ଜିଣିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସେ ନିଜ ଗୀତ ମାଧ୍ୟମରେ ଲୋକଙ୍କୁ ନିଆରା ଢ଼ଙ୍ଗରେ ସଚେତନ କରୁଥିବା ନଜରକୁ ଆସିଛନ୍ତି। ନିକଟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଜଣେ ନାବାଳକ ଘରେ ବୋର୍‌ ହୋଇ ବାହାରକୁ ବାହାରିଥିଲେ। ଏଥିପାଇଁ ତାଙ୍କୁ ପୋଲିସଠାରୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା। ପରିବାର ଲୋକେ ମଧ୍ୟ ପୋଲିସକୁ ସମର୍ଥନ ଜଣାଇବା ସହ ନିଜ ପୁଅର ଭୁଲ ପାଇଁ ତାଗିଦ୍‌ କରିଥିଲେ। ଏହି ଘଟଣାକୁ ନେଇ ସାର୍ଥକ ନିଜ ର଼୍ୟାପ୍‌ ସଙ୍ଗ୍‌ ମାଧ୍ୟମରେ ଲେକଙ୍କୁ ବିଶେଷକରି କିଶୋର ଏବଂ ଯୁବକମାନଙ୍କୁ ସଚେତନ କରିଛନ୍ତି। ମୋବାଇଲ ଆପ୍‌ ମାଧ୍ୟମରେ ସାର୍ଥକ ନିଜ ସ୍ବର ଦେଇ ପ୍ରସ୍ତୁତ କରିଛନ୍ତି ଏହି ସଚେତନତାଧର୍ମୀ ରାପ୍‌ ସଙ୍ଗ୍‌। ୨ ମିନଟ ୩୧ ସେକେଣ୍ଡର ଏହି ରାପ୍‌ ସଙ୍ଗ୍‌ରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରି ଲକ୍‌ଡାଉନକୁ ସଫଳ କରିବା ନିମନ୍ତେ ସଚେତନ କରିବାକୁ ପ୍ରୟାସ କରିଛନ୍ତି। ଜୟପୁର ଇନ୍ଦିରା ଛକ ଅଞ୍ଚଳର ସାର୍ଥକ ଯୁକ୍ତ୨ ପଢ଼ା ଶେଷ ପରେ ଉଚ୍ଚ ଶିକ୍ଷା ପାଇଁ କୋଚିଂ ନେଉଛନ୍ତି। ଏହି ଗୀତ ଜନସାଧାରଣଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି ସାର୍ଥକ ଆଶା ରଖିଛନ୍ତି।

Share