ରାଇଜିନ୍‌ ଟେକ୍‌ ସଫ୍ଟୱେୟାର କମ୍ପାନୀରୁ ୮ ଲକ୍ଷ ଠକେଇ: ନୀଳଗିରିରେ ପହଞ୍ଚିଲେ କମ୍ପାନୀ ଅଧିକାରୀ

ସଜନାଗଡ଼, ୨୯।୯(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଞ୍ଚଳର ୫ଜଣ ଯୁବକ ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନୀରୁ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରି ପଳାଇ ଆସିଥିବା ଶୁଣିବାକୁ ମିଳିଛି। କମ୍ପାନୀ ପକ୍ଷରୁ ଅଧିକାରୀମାନେ ରବିବାର ନୀଳଗିରି ଆସି ବରହମପୁର ପୋଲିସ ସହାୟତାରେ ମାଟିଆଳି ଗ୍ରାମକୁ ଯାଇଛନ୍ତି। ଏହି ଯୁବକମାନେ ଅନଲାଇନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ କରୁଥିବାବେଳେ କମ୍ପାନୀର କମିଶନ ଅର୍ଥକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପୋଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି।
ନୀଳଗିରି ବ୍ଲକ ମାଟିଆଳି ଗ୍ରାମର ୫ଜଣ ଯୁବକ ଦିଲ୍ଲୀସ୍ଥିତ ରାଇଜିନ୍‌ ଟେକ୍‌ ପ୍ରାଇଭେଟ୍‌ କମ୍ପାନୀରେ ନିଜର ସମସ୍ତ ତଥ୍ୟଗତ ପ୍ରମାଣପତ୍ର ଦେଇ ଉକ୍ତ କମ୍ପାନୀର ରିଟେଲର ହୋଇଥିଲେ। ସେଥିପାଇଁ କମ୍ପାନୀ ପକ୍ଷରୁ ଏମାନଙ୍କୁ ଏକ ଆଇଡି ମଧ୍ୟ ମିଳିଥିଲା। ଏହି କମ୍ପାନୀରେ ମୁଖ୍ୟତଃ ଟଙ୍କା ନେଣଦେଣ କାରବାର କରାଯାଇଥାଏ। ଏଥିପାଇଁ କମ୍ପାନୀ ରିଟେଲରଙ୍କୁ ”ପ୍ଲେନେଟ୍‌ ସି ଆପ“ ଅନଲାଇନ୍‌ ମାଧ୍ୟମରେ ଦେଣନେଣ ପାଇଁ ଦେଇଥାଏ। ମନି ଟ୍ରାନ୍‌ସଫର କଲେ ଗ୍ରାହକ ଯାହା ନିକଟକୁ ଟଙ୍କା ପଠାଇଥାଏ ତାଙ୍କ ଆକାଉଣ୍ଟକୁ ୧ ଟଙ୍କା କମିଶନ ଯାଉଥିବାବେଳେ କମ୍ପାନୀ ଆକାଉଣ୍ଟକୁ ୨ ଟଙ୍କା କମିଶନ ଆସିବା କଥା। ଉକ୍ତ ଲାଇନ୍‌କୁ ବ୍ଲକ କରି ସମସ୍ତ କମିଶନ ରିଟେଲର ଆକାଉଣ୍ଟକୁ ପଳାଇ ଆସୁଥିଲା। ଏକ ସପ୍ତାହ ଭିତରେ ଏମାନଙ୍କୁ ଆକାଉଣ୍ଟକୁ ୮ ଲକ୍ଷରୁ ଅଧିକ ଟଙ୍କା ଆସିଥିବା କମ୍ପାନୀ ଜାଣିପାରିଥିଲା। ଏହାର ଖୋଳତାଡ ଲାଗି ଅଧିକାରୀମାନେ ସ୍ଥାନୀୟ ପୋଲିସର ସହାୟତା ନେଇଛନ୍ତି।