ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ପାଟଣା,୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ବଡ଼ପାଟଣା ପଞ୍ଚାୟତ କୁଆପଶି ମୌଜାରେ ୬ ଏକର ପରିମିତ ଜମିରେ ମେସର୍ସ ନାରାୟଣ ରାଇସ ମିଲ୍‌, ହୁଣ୍ଡଳା ତରଫରୁ ଏକ ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କରାଯାଇଛି। ଏ ନେଇ ଶନିବାର କୁଆପଶି ଗ୍ରାମରେ ବଡ଼ପାଟଣା ପଞ୍ଚାୟତ ତରଫରୁ ଏକ ପଲ୍ଲିସଭା ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ଗ୍ରାମବାସୀ ଯୋଗଦେଇ ମିଲ୍‌ ନିର୍ମାଣକୁ ବିରୋଧ କରିଛନ୍ତି। ରାଇସ୍‌ ମିଲ୍‌ ପ୍ରତିଷ୍ଠା ଦ୍ୱାରା ଚାଷଜମି ପ୍ରଭାବିତ ହେବା ସହ ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସଭାରେ ବଡ଼ପାଟଣା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାପାତ୍ରଙ୍କ ସହ ୧୭ନଂ. ୱାର୍ଡର ୱାର୍ଡମେମ୍ବର କୁନା ମୁଣ୍ଡା ଉପସ୍ଥିତ ଥିଲେ।

ସୂଚନାନୁଯାୟୀ, ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ନଂ. ଜାତୀୟ ରାଜପଥର କୁଆପଶି ପାର୍ଶ୍ୱରେ ଏକ ରାଇସ୍‌ ମିଲ୍‌ ପ୍ରତିଷ୍ଠାକୁ ଆଞ୍ଚଳିକ ମଞ୍ଚ କୁଆପଶି ତରଫରୁ ବିରୋଧ କରାଯାଇଛି। ଏଥିନେଇ ମଞ୍ଚ ତରଫରୁ କେନ୍ଦୁଝର ଜିଲାପାଳ, ପାଟଣା ତହସିଲଦାର, ପାଟଣା ବିଡିଓ ଓ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡକୁ ପତ୍ର ଦିଆଯାଇଛି।