ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୨।୭(ବ୍ୟୁରୋ)-କୋଭିଡ୍‌-୧୯ ମୁକାବିଲା ପାଇଁ ସୁନ୍ଦରଗଡ଼ ଓ ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ ସୁନ୍ଦରଗଡ଼ ଓ ଯାଜପୁର ଜିଲାର କୋଭିଡ୍‌ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି ଏହି ଘୋଷଣା କରିଛନ୍ତି।
ଏଥିସହ କଟକ ଏସ୍‌ସିବି ପରେ ଏବେ ପଶ୍ଚିମ ଓଡ଼ିଶା ପାଇଁ ରାଉରକେଲାର ଆଇଜିଏଚ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ରାଉରକେଲାର ଆଇଜିଏଚ୍‌ ହସ୍ପିଟାଲରୁ ପ୍ଲାଜ୍‌ମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲା କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Share