ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍‌ ଚାଳକ

ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍‌ ବୁଲୁଛି। ଇସ୍ପାତ ସହରର ଶିକ୍ଷିତ ଯୁବ ବର୍ଗଙ୍କ ମତି ଗତିରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ଆସି ପାରୁନି। ପୂର୍ବ ପରି ବାଇକ୍‌ ଧରି ବିଭିନ୍ନ ସାମଗ୍ରୀ କିଣା ବାହାନାରେ ରାସ୍ତାରେ ବୁଲୁଛନ୍ତି। ଶନିବାର ସେକ୍ଟର- ୨୨ ମିନି ଷ୍ଟାଡିୟମକୁ ସ୍ଥାନାନ୍ତରିତ ହୋଇଥିବା ପରିବା ବଜାରକୁ ଶତାଧିକ ବାଇକ ଚାଳକଙ୍କ ଯା ଆସ ଲାଗି ରହିଥିଲା। ଅବଶ୍ୟ କିଛି ବୟସ୍କ ଲୋକ ହାତରେ ପରିବା ବ୍ୟାଗ ଧରି ଘରକୁ ଫେରୁଥିଲେ। ହେଲେ ଯୁବକମାନେ ବାଇକ୍‌ ଧରି ଘର ପାଖ ବଜାରକୁ ଯାଇଥିଲେ, ଯାହା ସାମାଜିକ ଦୂରତାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା।