ରାଉରକେଲାର ସେକ୍ଟର-୧୮ ମାର୍କେଟ ସିଲ୍‌: କଣ୍ଟେନମେଣ୍ଟ, ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ

ରାଉରକେଲା ଅଫିସ,୨୮।୪: ସୁନ୍ଦରଗଡ଼ ଜିଲା ରାଉରକେଲା ନାଲା ରୋଡ଼ରୁ ମଙ୍ଗଳବାର ପୁଣି ଆଉ ୪କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୁନ୍ଦରଗଡ଼ରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସେକ୍ଟର-୧୮ ମାର୍କେଟକୁ ମହାନଗର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏହାସହ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୂଚନା ମୁତାବକ ୪ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦୋକାନୀ ସେକ୍ଟର-୧୮ ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଉକ୍ତ ସେକ୍ଟର ମାର୍କେଟର ସମସ୍ତ ମାଛ, ଅଣ୍ଡା ଓ ମାଂସ ଦୋକାନକୁ ମହାନଗର ପକ୍ଷରୁ ସିଲ କରିଦିଆଯାଇଛି। ଏଥିସହ ସେକ୍ଟର ୧୮ ଅଞ୍ଚଳର ୨୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବିଶ୍ରା ଗୁଡ଼ଗୁଡ଼ଜୋର ଅଞ୍ଚଳର ୨ ଓ ନାଲାରୋଡର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠାରୁ ନାଲାରୋଡ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବର୍ତ୍ତମାନ ସଂଲଗ୍ନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ସାଢେ ୩ ହଜାରରୁ ଊର୍ଦ୍ଧ୍ୱ ଘର ରହିଛି। ଏଥିପାଇଁ ସ୍ବାସ୍ଥ୍ୟ ପରୀକ୍ଷାରେ ୮୩ଟି ଟିମ୍‌, ସାନିଟାଇଜେସନ୍‌ରେ ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ୧୪ଟି ଟିମ୍‌ ନିୟୋଜିତ ହୋଇଥିବା ସୂଚନା ରହିଛି। ଅପରପକ୍ଷେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମ୍ବଲପୁରରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଆସିଛନ୍ତି। ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଓ ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି l

Share