Categories: ଖେଳ

ରାଓ୍ବଲପିଣ୍ଡି ଟେଷ୍ଟ: ଡ୍ର’ ମ୍ୟାଚ୍‌ରେ ଆବିଦ୍‌ଙ୍କ ବିରଳ କୀର୍ତ୍ତିମାନ

ରାଓ୍ବଲପିଣ୍ଡି, ୧୫।୧୨ (ଏଏଫ୍‌ପି)- ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ଏହାର ଘରୋଇ ମାଟିରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଡ୍ର’ରେ ଶେଷ କରିଛି। ଶ୍ରୀଲଙ୍କା ବିପକ୍ଷ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ରବିବାର ଅନ୍ତିମ ତଥା ୫ମ ଦିବସରେ ବିନା ଫଳାଫଳରେ ସମାପ୍ତ ହୋଇଛି। ମ୍ୟାଚ୍‌ ଡ୍ର’ ରହିଥିଲେ ମଧ୍ୟ ଘରୋଇ ପାକିସ୍ତାନ ଓପନର୍‌ ଆବିଦ୍‌ ଅଲି ଏକ ବିରଳ କୀର୍ତ୍ତିମାନ ହାସଲ କରିଛନ୍ତି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆବିଦ୍‌ ଉଭୟ ଦିନିକିଆ ଓ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ କରାଚିରେ ୧୯ରୁ ଆରମ୍ଭ ହେବ।
ବର୍ଷୀୟ ଆବିଦ୍‌ ୯୫ ରନ କରିଥିବାବେଳେ ବିଶ୍ୱ ଫର୍ନାଣ୍ଡୋଙ୍କ ବଲ୍‌ରୁ ଚୌକା ଓ ଡବଲ୍‌ ନେଇ ୧୧ତମ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ। ୧୦୯ ରନର ଅପରାଜିତ ଇନିଂସ ମଧ୍ୟରେ ସେ ୧୧ ଚୌକା ମାରିଥିଲେ। ପୂର୍ବରୁ ଆବିଦ ଗତ ମାର୍ଚ୍ଚରେ ଦୁବାଇଠାରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ଦିନିକିଆ ମ୍ୟାଚରେ ମଧ୍ୟ ଶତକ ଅର୍ଜନ କରିଥିଲେ। ବିଶ୍ୱର ୧୫ତମ ବ୍ୟାଟ୍ସମ୍ୟାନ ଭାବେ ସେ ଦିନିକିଆ ପଦାର୍ପଣରେ ଶତକ ମାରିଥିଲେ ମଧ୍ୟ ତାଙ୍କୁ ଛାଡ଼ି ଅନ୍ୟମାନେ କିନ୍ତୁ କେହି ଟେଷ୍ଟ ପଦାର୍ପଣରେ ଏହି ସଫଳତାକୁ ଦୋହରାଇ ପାରି ନ ଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ବାବର ଆଜମ ୧୦୨ ରନର ଅପରାଜିତ ଇନିଂସ ଖେଳିଥିଲେ। ପାକିସ୍ତାନ ପ୍ରଥମ ଇନିଂସରେ ୨ ଉଇକେଟ ହରାଇ ୨୫୨ ରନ କରିଥିବାବେଳେ ମ୍ୟାଚ୍‌କୁ ଡ୍ର’ ରଖାଯାଇଥିଲା।
ଶ୍ରୀଲଙ୍କା ପ୍ରଥମ ଇନିଂସରେ ୬ ଉଇକେଟ୍‌ ହରାଇ ୩୦୮ ରନ କରି ଇନିଂସ ଘୋଷଣା କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ର ପ୍ରଥମ ୪ ଦିନରେ ମାତ୍ର ୯୧.୫ ଓଭର ଖେଳ ସମ୍ଭବପର ହୋଇପାରି ଥିଲା। ତୃତୀୟ ଦିବସ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ୍‌ ହରାଇ ୨୮୨ ରନ କରିଥିଲା। ବର୍ଷା ଯୋଗୁ ଶନିବାର ଗୋଟିଏ ବି ବଲ୍‌ ପଡ଼ିବା ସମ୍ଭବପର ହୋଇପାରି ନ ଥିଲା। ରବିବାର ଧନଞ୍ଜୟ ଡି ସିଲ୍‌ଭା (୧୦୨*)ଙ୍କ ଶତକ ହାସଲ ପରେ ଶ୍ରୀଲଙ୍କା ୩୦୮/୬ରେ ଏହାର ଇନିଂସ ଘୋଷଣା କରିଥିଲା। ସ୍ମରଣଯୋଗ୍ୟ, ୨୦୦୯ରେ ଏକ ଟେଷ୍ଟ ମ୍ୟାଚ୍‌ ସମୟରେ ଲାହୋରରେ ଶ୍ରୀଲଙ୍କା ଖେଳାଳିଙ୍କ ବସ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କୌଣସି ଦେଶ ଖେଳିଯିବାକୁ ରାଜି ହେଉ ନ ଥିଲେ।

Share