Categories: ଖେଳ

ରାଓ୍ବଲପିଣ୍ଡି ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ରାଓ୍ବଲପିଣ୍ଡି, ୧୦।୨ (ଏଏଫ୍‌ପି)- ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଇନିଂସ ଓ ୪୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚ୍‌ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ରେ ଅଗ୍ରଣୀ ଲାଭ କରିଛି।
ପ୍ରଥମ ଇନିଂସ ସ୍କୋର ୨୩୩ ରନ ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୪୪୫ ରନର ବୃହତ୍‌ ସ୍କୋର କରିଥିଲା। ଦଳ ପକ୍ଷରୁ ଓପନର୍‌ ଶାନ୍‌ ମାସୁଦ୍‌ (୧୦୦) ଓ ବାବର ଆଜମ (୧୪୩) ଶତକୀୟ ଇନିଂସ ଖେଳିଥିଲେ। ୨୧୨ ରନ୍‌ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଭ୍ରମଣକାରୀ ବାଂଲାଦେଶ ରବିବାର ୩ୟ ଦିବସ ଶେଷ ସୁଦ୍ଧା ୬ ଉଇକେଟ୍‌ ହରାଇ ୧୨୬ ରନ କରିଥିଲା। ସୋମବାର ୪ର୍ଥ ଦିବସରେ ବାଂଲାଦେଶ ଏହାର ଅସମାପ୍ତ ୨ୟ ଇନିଂସ ସ୍କୋରରେ ଆଉ ୪୨ ରନ ଯୋଡ଼ି ୧୬୮ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ଲିଟନ ଦାସ ୨୯, ଅଧିନାୟକ ମୋମିନୁଲ ହକ୍‌ ୪୧, ତାମିମ ଇକ୍‌ବାଲ ୩୪ ରନ କରିଥିଲେ। ଫଳରେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଟେଷ୍ଟ ମ୍ୟାଚ୍‌କୁ ଜିତିନେଇଛି। ସର୍ବକନିଷ୍ଠ ଖେଳାଳି ଭାବେ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିଥିବା ବିଜୟୀ ଦଳର ନସିମ ଶାହ (୧୬ ବର୍ଷ ୩୫୯ ଦିନ)୨ୟ ଇନିଂସରେ ମୋଟ୍‌ ୪ ଉଇକେଟ୍‌ ନେଇଛନ୍ତି। ଗତ ୧୧ ଟେଷ୍ଟରୁ ବାଂଲାଦେଶର ଏହା ୧୦ମ ପରାଜୟ। ଅନ୍ୟ ଗୋଟିଏ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଥିଲା। ବିଜୟ ସହ ପାକିସ୍ତାନ ମ୍ୟାଚ୍‌ରୁ ୬୦ ପଏଣ୍ଟ ଅର୍ଜନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲର ୪ର୍ଥ ସ୍ଥାନକୁ ଉଠିଛି। ୯ ଦଳୀୟ ଏହି ପଏଣ୍ଟ ଟେବୁଲ୍‌ରେ ଭାରତ (୩୬୦ ପଏଣ୍ଟ) ଶୀର୍ଷରେ ରହିଛି।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ- ୨୩୩/୧୦
ପାକିସ୍ତାନ ପ୍ରଥମ ଇନିଂସ- ୪୪୫/୧୦
ବାଂଲାଦେଶ ୨ୟ ଇନିଂସ- ୧୬୮/୧୦

Share