ରାକେଶଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀ ରାକେଶ କୁମାର ବାରିକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶୁକ୍ରବାର ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ, କୁଳସଚିବ ଅମର ସିଂହ ସୋରେନ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ଓ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ. ପ୍ରକାଶ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ଏନ୍‌ଏସଏସ୍‌ ସଙ୍ଗଠନର ସଦସ୍ୟ, ସମାଜସେବା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ରାକେଶଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଚଳିତବର୍ଷ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ମନୋନୀତ କରାଯାଇଥିଲା। ତାଙ୍କ ସଫଳତା ପାଇଁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ. ପବିତ୍ରମୋହନ ନାୟକ, ଜିଲା କାର୍ଯ୍ୟକ୍ରମ ଅଧିକାରୀ ଗୌରାଙ୍ଗ ପଣ୍ଡା, ନୀଳମଣି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୟନ୍ତ କୁମାର ପଣ୍ଡା ଓ ଭଦ୍ରକ ଜିଲା କାର୍ଯ୍ୟକ୍ରମ ଅଧିକାରୀ ନାରାୟଣ ସେଠୀ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

Share