ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ମନ ଖୋଲି କଥା ହୋଇଛନ୍ତି ଓ ନିଜ ନିଜ ମତ ରଖିଛନ୍ତି। ପୂର୍ବରୁ ଜାଭେଦ ଅଖତର, ଅକ୍ଷୟ କୁମାର, ତାପସୀ ପନ୍ନୁ ଆଦି ଏନେଇ ନିଜ ନିଜ ମତ ରଖିଥିବା ବେଳେ ଏବେ ଏମାନଙ୍କ ସହ ବଲିଉଡ୍ ନାୟିକା ପରିଣିତି ଚୋପ୍ରାଙ୍କ ନାଁ ଯୋଡି ହୋଇଯାଇଛି। କିନ୍ତୁ ପରିଣିତି ଏହାକୁ ନେଇ ରାଗି ଯାଇଥିବା ଜଣାପଡିଛି। ପରିଣିତି ଟୁଇଟ୍ କରି ନିଜର ରାଗ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଏବେ ଆମେ ଦେଶକୁ ଆମେ ଗଣତନ୍ତ୍ର ଦେଶ କହିବା ଭୁଲିଯିବା ଉଚିତ୍। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହା କହିଛନ୍ତି। କେବଳ ସେତିକି ନୁହେଁ ସେ କହିଛନ୍ତି ପ୍ରତିଥର ଯଦି ସାଧାରଣ ନାଗରିକ ତାଙ୍କ ବିଚାର ବ୍ୟକ୍ତ କରିବାରେ ଏମିତି ପରିସ୍ଥିତି ସୃଷ୍ଟି ହେଉଛି ତେବେ #CAB କୁ ଭୁଲିଯିବା ଉଚିତ୍। ଏହାସହ ନିଜ ଦେଶକୁ ଗଣତନ୍ତ୍ର ଦେଶ କହିବା ମଧ୍ୟ ଭୁଲିଯିବା କଥା। ନିଜ ମନକଥା ପ୍ରକାଶ କରୁଥିବା ନିର୍ଦ୍ଦୋଷ ଲୋକଙ୍କୁ ଯେଉଁଭଳି ଭାବେ ମାଡ ଖାଇବାକୁ ପଡୁଛି ଏହା କେବଳ ବର୍ବରତା ବୋଲି ପରିଣିତି କହିଛନ୍ତି।