ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ହେଲେ କିଛି ସ୍ଥାନରେ ଏମାନଙ୍କ ଉପରକୁ ପଥର ଫିଙ୍ଗିବା, ଛେପ ପକାଇବା ଏମିତିକି ଏମାନଙ୍କୁ ଲହୁଲୁହାଣ କରିବା ପର୍ଯ୍ୟନ୍ତ କଥା ଯାଉଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ରାଗି ଯାଇଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେଉଁମାନେ ଡାକ୍ତର, ପୋଲିସ ଭଳି କରୋନା ଯୋଦ୍ଧାଙ୍କ ଉପରକୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଲଜ୍ୟା ଲାଗିବା କଥା। କାରଣ ଏମାନେ ଅଛନ୍ତି ବୋଲି ଆମେ ସୁରକ୍ଷିତ ଅଛୁ। ଉକ୍ତ ଭିଡିଓରେ ହେମା ଦୁଇଦିନ ତଳେ ଆମ୍ବୁଲାନ୍ସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଖବରଦାତା ସମସ୍ତ କରୋନା ଯୋଦ୍ଧାଙ୍କ ଉପରେ ଯିଏବି ଆକ୍ରମଣ କରୁଛନ୍ତି ତାଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଇନ୍ଦୋର, ବିହାର, ଦଲ୍ଲେୀ ଭଳି କେତେକ ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକୁ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଇଛି।

Share