ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଦିନକୁ ମାତ୍ର ଅଧଘଣ୍ଟା ତ କେବେ ଘଣ୍ଟାଏ ଜଳ ଯୋଗାଣ ହେଉଛି। ପିଇବା ପାଣି ଅଭାବ ସାଙ୍ଗକୁ ଗ୍ରାମ ଜଳାଶୟ ରାଜଘାଇର ପାଣି ୨ମାସରୁ ଉର୍ଦ୍ଧ୍ୱ ହେବ ଅପରିସ୍କାର ହୋଇଛି। ଫଳରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକେ ହୀନସ୍ତା ହେଉଛନ୍ତି। ଏନେଇ ବିଭିନ୍ନ ସମୟରେ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କେହି ସମାଧାନ ପାଇଁ ଆନ୍ତରିକତା ଦେଖାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ଭିଡ଼ିଓ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଛନ୍ତି। ଏନେଇ କ୍ରାନ୍ତିକାରୀ କୃଷକ ସମାଜ ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଦୁର୍ଭାଗ୍ୟଜନକ କହିବା ସହ ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗୋପୀନାଥପୁର ଗ୍ରାମରେ ବର୍ତ୍ତମାନ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ଲୋକ ଥିବାବେଳେ ୬ଶହ ଘର ରହିଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏଠାରେ ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ୨୦୧୧ରେ ନିର୍ମାଣ ହୋଇଥିଲା। ୩୬.୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ସମୟରେ ବହୁ ଟ୍ୟୁବ୍‌ଓ୍ବେଲ ଖୋଳା ଯାଇଛି। ତଥାପି ପିଇବା ପାଣି ସମସ୍ୟା ଦୂର ହୋଇନାହିଁ। ତେବେ ଗ୍ରାମରେ ଥିବା ରାଜଘାଇ ଜଳାଶୟରେ ଗ୍ରାମବାସୀ ଶୌଚ ହେବାସହ ଏହାର ପାଣିକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଥିଲେ। ଫଳରେ ପାନୀୟ ଜଳ ଅଭାବ ନିମନ୍ତେ ଦାବି ଜୋରଦାର ହେଉ ନ ଥିଲା। କିନ୍ତୁ ଗତ ୨ମାସ ତଳେ ଉକ୍ତ ଜଳାଶୟରେ ମାଛ ଚାଷ ନିମନ୍ତେ ଔଷଧ ପକାଯିବା ଫଳରେ ପାଣି ରଙ୍ଗରେ ପରିବର୍ତ୍ତନ ସହ ପିଇବାତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ ହୋଇ ପଡ଼ିଛି। ଫଳରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମର ମନୋଜ ବେହେରା, ପି. ପାର୍ବତୀ, ନୟନୀ ବେହେରା ପ୍ରମୁଖ ତୁରନ୍ତ ସରକାର ଏଥିପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Share