ରାଜଧାନୀରେ ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନର ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ ସୋମବାର ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୪ଟାରେ ଆଇ.ଜି.ପାର୍କରେ ଜନ୍ମଦିନ ପାଳୁଥିବା କେତେଜଣ ଯୁବତୀଙ୍କୁ ସେମାନେ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ଏଥିରେ ସମ୍ପୃକ୍ତ ଯୁବକ ଅକ୍ଷୟ ମହାରଣା ଗୁରୁତର ଆହତ ହୋଇଛନ୍ତି। ସେ ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ଜଣ ଅଣଓଡ଼ିିଆ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ଆଇ.ଜି. ପାର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୂବତୀ ଜନ୍ମଦିନ ପାଳୁଥିଲେ। ସେହି ସମୟରେ ଏହି ପରୀକ୍ଷାର୍ଥୀମାନେ ପାର୍କରେ ବୁଲୁଥିଲେ। ସମ୍ପୃକ୍ତା ଯୁବତୀମାନଙ୍କୁ ପରୀକ୍ଷାର୍ଥୀମାନେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ କମେଣ୍ଟ ମାରିଥିଲେ। ସେଠାରେ ଥିବା ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ହେଲେ ପରୀକ୍ଷାର୍ଥୀମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରି କି ଅକ୍ଷୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କ କାନ ଫାଟି ରକ୍ତ ବାହାରିଥିଲା। ଏହାଦେଖି ସେମାନେ ଦୌଡ଼ିି ପଳାଇଥିଲେ। ଲୋକେ ଖବର ଦେବା ସତ୍ତ୍ୱେ ପୋଲିସ ଘଟଣାସ୍ଥଳକୁ ଆସି ନ ଥିଲା। ଅକ୍ଷୟଙ୍କୁ ତାଙ୍କ ସହଯୋଗୀମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ ଥାନାରେ ଏତଲା ଦେଇଥିଲେ। ଏ ନେଇ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଆର୍ମିରେ ଭର୍ତ୍ତି ହେବାକୁ ଆସିଥିବା କେତେଜଣ ପିଲା ପାର୍କରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ଆମେ ୩ଜଣ ଅଣଓଡ଼ିିଆ ପିଲାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛୁ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share