Categories: ଜାତୀୟ

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା ମିଳିଛି। ଏହାସହ ତାଙ୍କ କାର୍‌ ଉପରକୁ ଅଣ୍ଡାମାଡ ମଧ୍ୟ କରାଯାଇଛି। ଗୁଳିମାଡ ପରେ ଆହତ ହୋଇଥିବା ମିତାଲି ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ନଏଡାରେ ରହୁଥିବା ମିତାଲି ଶନିବାର ରାତି ପ୍ରାୟ ୧୨ଟା ୩୦ରେ ନିଜ କାର୍‌ ଯୋଗେ ଘରକୁ ଫେରୁଥିବା ବେଳେ ଅନ୍ୟଏକ କାରରେ କେତେଜଣ ଦୁର୍ବୁତ୍ତ ଆସି ତାଙ୍କୁ ଗୁଳି କରିଥିଲେ। ହେଲେ ଗୁଳିଟି ତାଙ୍କ ହାତରେ ବାଜି ଥିବାରୁ ସେ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୋଲିସ ଘଟଣାର ତଦନ୍ତ କରିବା ବେଳେ ମିତାଲି କହିଛନ୍ତି କି ତାଙ୍କର ଘର ଲୋକଙ୍କ ସହ ସମ୍ପର୍କ ଭଲ ନାହିଁ। ତେଣୁ ଏହି ଘଟଣା ପଛରେ କାହାର ହାତ ରହିଛି ତାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

Share