ରାଜଧାନୀରେ ଘରେ ପହଞ୍ଚିବ ମେଡ଼ିସିନ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା ପାଇଁ ଲୋକେ ବାହାରକୁ ବାହାରିପାରୁ ନ ଥିବାରୁ ଏବେ ଭୁବନେଶ୍ୱରବାସୀ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ନଜରକୁ ଆସିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଔଷଧର ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲୋର୍‌ ସହଯୋଗରେ ଏହି ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ସହରରେ ଥିବା ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ସେସବୁ ଦୋକାନ ସହ ଫୋନ୍‌ ନମ୍ବର ବିଏମ୍‌ସି ତା’ର ଓ୍ବେବ୍‌ସାଇଟ୍‌ ଓ ସୋସିଆଲ ମିଡିଆରେ ଜାରି କରିଛି। ଫୋନ୍‌ କଲ୍‌ କିମ୍ବା ସେହି ନମ୍ବର ସହ ଥିବା ହ୍ବାଟ୍‌ସଆପ୍‌ ଜରିଆରେ ସହରବାସୀ ଆବଶ୍ୟକ ଔଷଧ ନିକଟ ଦୋକାନକୁ ଅର୍ଡର ଦେଇପାରିବେ। ତେବେ ପାଖରେ ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ଥିବା ଜରୁରୀ। ହ୍ବାଟ୍‌ସଆପ୍‌ରେ ନିଜ ନାମ, ରୋଗୀଙ୍କ ନାମ, ପ୍ରେସ୍‌କ୍ରିପ୍‌ଶନର ଫଟୋ, ଠିକଣା ଓ ଯୋଗାଯୋଗ ଫୋନ୍‌ ନମ୍ବର ପଠାଇଲେ ୨୪ ଘଣ୍ଟା ମଧ୍ୟରେ ଘରେ ଔଷଧ ପହଞ୍ଚତ୍ୟିବ। ପ୍ରେସ୍‌କ୍ରିପ୍‌ଶନ ଦେଖାଇ ଔଷଧ ନେଇପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

Share