ରାଜଧାନୀରେ ଚାଞ୍ଚଲ୍ୟ:ଯୁବକଙ୍କୁ ଗୋଡ଼ାଇ ହାଣି ହତ୍ୟା

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ରଙ୍ଗମାଟିଆ ତଳସାହି ମଙ୍ଗଳାମନ୍ଦିର ନିକଟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ୯ଜଣ ଯୁବକ ଚାପଡ଼ ଏବଂ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ମୃତ ଯୁବକ ଜଣକ ହେଲେ ରଙ୍ଗମାଟିଆର ଦୀପକ ବେହେରା ଓରଫ ଲଣ୍ଡା(୨୨)। ଖବରପାଇ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରିଛି। ବୁଧବାର ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ଦୀପକଙ୍କ ବେକ, ପିଠି, ପେଟ ଏବଂ ଗୋଡ଼ରେ ହଣା ଯାଇଥିବା ଦେଖିବାକୁ ମିଳିଛି। ମୃତ ଦୀପକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସନ୍ଦେହରେ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଗ୍ରାମର ଦୁଇ ପଡ଼ାରେ ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ନଜର ରଖାଯିବା ସହ ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ କରିଛନ୍ତି।
ସୂଚନା ଅନୁଯାୟୀ,ଦୀପକ ରଙ୍ଗମାଟିଆ ତଳସାହିରେ ପରିବାର ସହ ରହୁଥିଲେ। ସେ ଜମି ବିକ୍ରିରେ ମଧ୍ୟସ୍ଥଭାବେ କାମ କରୁଥିଲେ। ଏକ ଜମିବାଡି ଘଟଣାକୁ ନେଇ ଗତ ୧୫ଦିନ ତଳେ ଦୀପକ ଉପରସାହିର ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦୀପକଙ୍କ ଉପରେ ରାଗ ରହିଥିଲା। ମଙ୍ଗଳବାର ରାତି ପ୍ରାୟ ୭ଟା ୪୫ମିନିଟରେ ରଙ୍ଗମାଟିଆ ତଳସାହି ମଙ୍ଗଳାମନ୍ଦିର ନିକଟରେ ଥିବା ଜଳଖିଆ ଦୋକାନକୁ ଦୀପକ ବନ୍ଦ କରୁଥିଲେ। ଏହି ସମୟରେ ୯ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ବାଇକଯୋଗେ ସେଠାରେ ପହଞ୍ଚତ୍ଥିଲେ। ହଠାତ୍‌ ଦୀପକ କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡା ଏବଂ ଚାପଡ଼ରେ ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଦୀପକ ଚେଷ୍ଟା କରି ଦୌଡ଼ିଥିଲେ ମଧ୍ୟ ଉକ୍ତ ଯୁବକମାନେ ଛାଡ଼ି ନ ଥିଲେ। ଗୋଡ଼େଇ ଗୋଡ଼େଇ ତାଙ୍କୁ ହାଣି ଚାଲିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୀପକ ଚିକତ୍ାର କରିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦୀପକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।