Categories: ମେଟ୍ରୋ

ରାଜଧାନୀରେ ଡକ୍ଟରେଟ୍‌ ଡିଗ୍ରୀ ଠକେଇ ର଼୍ୟାକେଟ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ପାଠପଢ଼ା, ଗବେଷଣା କି ପରୀକ୍ଷା ଦେବାକୁ ପଡ଼ିବନି। ଟଙ୍କାରେ ମିଳୁଛି ବିଭିନ୍ନ ଡକ୍ଟରେକ୍ଟ ଡିଗ୍ରୀ। ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବାବେଳେ ସାର୍ଟିଫିକେଟ ପାଇବା ଆଶାରେ ହଜାର ହଜାର ଛାତ୍ରୀଛାତ୍ର ଠକେଇର ଶିକାର ହୋଇଛନ୍ତି। ଟଙ୍କା ବଦଳରେ ଜାଲ୍‌ ସାର୍ଟିଫିକେଟ ପାଇଁ ହଟହଟା ହୋଇନ୍ତି। ରାଜଧାନୀ ଭୁବନେଶ୍ୱରରେ ଏହି ର଼୍ୟାକେଟ କାର୍ଯ୍ୟ କରୁଥିବାବେଳେ ଦେଶର ବିଭିନ୍ନ ରାଜ୍ୟକୁ ଏହାର ଚେର ଲମ୍ବିଛି। ଗୁଆହାଟୀ ପୋଲିସ କମିଶନଙ୍କର ନିକଟରେ ଏଭଳି ଏକାଧିକ ଅଭିଯୋଗ ହୋଇଛି। ଏନେଇ ଗୁଆହାଟୀର ଜଣେ ଖବରଦାତା ଓଡ଼ିଶାର ରାଜ୍ୟପାଳଙ୍କୁ ଚିଠି କରିବା ପରେ ଘଟଣା ପଦାକୁ ଆସିଛି।

ଅଭିଯୋଗ ଅନୁସାରେ, ବିଜ୍ଞାପନରେ ଥିବା ସଂସ୍ଥାର ନାମ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍‌ ଫାଉଣ୍ଡେଶନ ରହିଥିବାବେଳେ ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ସଭାପତି ଚିତ୍ତରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ଡ. ହୃଷୀକେଶ ଆଚାର୍ଯ୍ୟ ଓ ସେମାନଙ୍କ ଫଟୋ ରହିଛି। ସଂସ୍ଥାର ଠିକଣା ଭୁବନେଶ୍ୱର କଳିଙ୍ଗନଗରର ପ୍ଲଟ୍‌ ନଂ.କେ୪/୩୭ରେ କାର୍ଯ୍ୟ କରୁଥିବା ଉଲ୍ଲେଖ ରହିଛି। ସେଥିରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଛାତ୍ରୀଛାତ୍ରମାନେ ଟଙ୍କା ପଠାଇଛନ୍ତି। ହେଲେ ଏହି ଠିକଣାରେ ସେପରି କିଛି ସଂସ୍ଥା ନ ଥିବାବେଳେ ସେଠାରେ ଜଣେ ବ୍ୟକ୍ତି ପରିବାର ସହ ରହୁଥିବା ଜଣାପଡିଛି। ତାଙ୍କ ପାଖକୁ ବହୁତ ଚିଠି ଆସିଥିବାବେଳେ ପୋଲିସ ଓ ଛାତ୍ରୀଛାତ୍ର ଆସି ପଚାରୁଥିବା କହିଛନ୍ତି। ତେବେ ଠକମାନେ ଅନ୍‌ଲାଇନ୍‌ରେ ତାଙ୍କ ଘର ଠିକଣା ଦେଇ ବହୁ କୋଟି ଟଙ୍କା ଠକି ନେଇଥିବା ଅନୁମାନ କରାଯାଉଛି। ତେବେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଜଣେ ବ୍ୟକ୍ତି କଲ୍‌ ରିସିଭ୍‌ କରିବା ସହ କଥା ହୋଇଥିଲେ। ପରିଚୟ ପଚାରି ସାର୍ଟିଫିକେଟ ପାଇଁ ୮୦ ହଜାରରୁ ୧ଲକ୍ଷ ଟଙ୍କା ଲାଗିବ ଓ ଲକ୍‌ଡାଉନ୍‌ ପାଇଁ କେବଳ ଅନ୍‌ଲାଇନ୍‌ରେ ଦିଆଯିବ ବୋଲି କହିଥିଲେ।
ଅନ୍ୟପକ୍ଷରେ ଠକେଇର ଶିକାର ହୋଇଥିବା ଗୁଆହାଟୀ ଭରଲୁମୁଖ ଅଞ୍ଚଳର ସୟଦୁର୍‌ ରହମନ ସେଠାକାର ପୋଲିସ କମିଶନରଙ୍କ ନିକଟରେ ଗତ ଜୁନ୍‌ ୧୫ରେ ଅଭିଯୋଗ କରିଛନ୍ତି। ଜୁନ ୧୬ରେ ଗୁଆହାଟୀ ଡିସିପି (କ୍ରାଇମ୍‌) ମାମଲାର ତଦନ୍ତ ଆରମ୍ଭ କରିଥିବାବେଳେ ଭୁବନେଶ୍ୱର କମିଶନରେଟ ପୋଲିସକୁ ମଧ୍ୟ ଗୁଆହାଟୀର ଜଣେ ଖବରଦାତା ମନୋଜିତ୍‌ ଏ ସଂକ୍ରାନ୍ତରେ ଅନ୍‌ଲାଇନ୍‌ରେ ଅବଗତ କରାଇଛନ୍ତି। ପିଏମ୍‌ଓ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ଗୁଆହାଟୀର ଶତାଧିକ ଛାତ୍ରୀଛାତ୍ର ଏହି ଠକେଇର ଶିକାର ହୋଇଥିବାରୁ ସ୍ଥାନୀୟ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଖୁବ୍‌ଶୀଘ୍ର ଓଡ଼ିଶା ଆସି ଖୋଳତାଡ଼ କରିବ ବୋଲି ଜଣାପଡିଛି।

Share