ରାଜଧାନୀରେ ଡବଲ ଏନ୍‌କାଉଣ୍ଟର, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍‌କାଉଣ୍ଟର କରିଛି। ଏଥିରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅରୁଣ କୁମାର ମଲିକ ଓରଫ୍‌ ପୋଡ଼ା ଏବଂ ବିବେକାନନ୍ଦ ନାୟକ ଓରଫ୍‌ ବିବେକ। ପୋଡ଼ାଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠରେ ହୋଇଥିବା ବେଳେ ବିବେକଙ୍କ ଘର ଆଠଗଡ଼ ଅରଠାପାଟଣାରେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ବାଲିଅନ୍ତା ରଙ୍ଗବଜାର ନିକଟରେ ଏକ କାରରେ ୩/୪ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ସହିଦନଗର ପୋଲିସ, ବାଲିଅନ୍ତା ପୋଲିସ ଓ ସ୍ପେଶାଲ ସ୍କ୍କାର୍ଡ ଏକକାଳୀନ ଚଢ଼ାଉ କରିଥିଲା। ସେମାନେ ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସର ପାଲଟା ଗୁଳିମାଡ଼ରେ ସେମାନେ ଆହତ ହୋଇଥିଲେ। ପୋଡ଼ା ଓ ବିବକେଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ଜଣାପଡ଼ିଛି।

Share