Categories: ମେଟ୍ରୋ

ରାଜଧାନୀରେ ନବ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ହକର୍‌ ଥିଲେ ଯୁବକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ରାକେଶ ରାଉତ(୨୫) ଓରଫ ବାପି। ବାପି ଓଲ୍ଡ ଟାଉନ୍‌ ପେପର ପଏଣ୍ଟରୁ ପେପର ନେଇ ହକରିଂ କରିଥାନ୍ତି। ସେ ଗତ ଫେବୃୟାରୀ ମାସରେ ଅର୍ଥାତ ଲକ୍‌ଡାଉନ୍‌ ପୂର୍ବରୁ ବିବାହ କରିଥିଲେ। ଗୁରୁବାର ସନ୍ଧ୍ୟାରେ ଉଭୟ ସ୍ତ୍ରୀସ୍ବାମୀ ଶ୍ରୀ ଲିଙ୍ଗରାଜଙ୍କ ବିବାହ ଦେଖିବାକୁ ଯାଇଥିଲେ। ସେଠାରୁ ଫେରି ଖାଇପିଇ ଶୋଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଶୁକ୍ରବାର ସକାଳୁ କବାଟ ନ ଫିଟାଇବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ରାକେଶ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲା। ସ୍ତ୍ରୀ ବିଷ ପିଇ ତଳେ ପଡ଼ିଥିବା ଦେଖିଥିଲା। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲ ପଟାଇଛି। ଏଥିସହ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

Share