ରାଜଧାନୀରେ ପୁଣି ଲୁଟ୍‌, ଚୋରି ଗ୍ୟାଙ୍ଗ୍‌ ସକ୍ରିୟ: ଦିନ ଦ୍ୱିପ୍ରହରରେ ଚୋରାଇନେଲେ କାର୍‌

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଗତ କିଛିଦିନ ତଳେ ରାଜଧାନୀରେ ୪ ଚକିଆ ଲୁଟେରା ଗ୍ୟାଙ୍ଗ୍‌ ମାତିଥିଲେ। ସେମାନେ ଡ୍ରାଇଭର ବସିଥିବା କାର୍‌କୁ ଟାର୍ଗେଟ କରି ଲୁଟ କରୁଥିଲେ। ହେଲେ ଏହି ଗ୍ୟାଙ୍ଗ୍‌ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୋଟିଏ ଦିନରେ ୪ଟି ବଡ଼ ଧରଣର ଘଟଣା ଘଟାଇବା ପରେ ପୋଲିସର ନିଦ ଭାଙ୍ଗିଥିଲା। ତା’ପରେ ଏନ୍‌କାଉଣ୍ଟର ଓ ଚଢ଼ାଉ କରାଯାଇ ଗ୍ୟାଙ୍ଗ୍‌ ମୁଖ୍ୟଙ୍କଠାରୁ ଆରମ୍ଭକରି ଜଣକ ପରେ ଆଉଜଣେ ସଦସ୍ୟଙ୍କୁ ଧରିଥିଲେ। ଫଳରେ କିଛି ଦିନ ଧରି ରାଜଧାନୀରେ ଲୁଟ୍‌ ଓ ଚୋରି ଥମିଯାଇଥିଲା। ହେଲେ ପୁଣି ଆଉ ଏକ ଗ୍ୟାଙ୍ଗ୍‌ ରାଜଧାନୀରେ ସକ୍ରିୟ ହୋଇପଡ଼ିଛି। ହୋଟେଲ କିମ୍ବା ଘର ଆଗରେ ପାର୍କିଂ ହୋଇଥିବା କାର୍‌କୁ କୌଶଳକ୍ରମେ ଚୋରି କରିନେଉଛନ୍ତି। ଶୁକ୍ରବାର ଦିନଦ୍ୱିପ୍ରହରରେ ଆଉ ଏକ ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟ ଏକ ହୋଟେଲ ସମ୍ମୁଖରେ ପାର୍କିଂ ହୋଇଥିବା ଏକ ଫର୍ଚ୍ୟୁନର କାର୍‌କୁ କେହିଜଣେ ଚୋରିକରି ନେଇଛନ୍ତି। ଏହି ଘଟଣାର ପୂରା ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଛି। ଏନେଇ ଥାନାରେ କାର୍‌ ମାଲିକ ରଘୁନାଥପୁରର ମଳୟ ପାତ୍ର ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ-୩୩୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସିସିଟିଭି ଫୁଟେଜରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହୁଛି।
ଅନୁଯାୟୀ, ଶୁକ୍ରବାର ମଳୟ କାର ନେଇ ଖାଇବାକୁ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟରେ ଥିବା ଏକ ହୋଟେଲକୁ ଯାଇଥିଲେ। ସେ କାର୍‌କୁ ପାର୍କିଂ କରି ହୋଟେଲ ଭିତରକୁ ଯାଇଥିଲେ। ଖାଇସାରିବା ପରେ ସେ ବାହାରକୁ ଆସିବା ପରେ କାର୍‌ ସେଠାରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ନିରାଶ ହେବା ପରେ ହୋଟେଲର ସିସିଟିଭି ଯାଞ୍ଚ କରାଯାଇଥିଲା। କେହି ଜଣେ ଦୁର୍ବୃତ୍ତ ଗାଡ଼ି ନିକଟକୁ ଆସି କୌଣସି ଏକ ଚାବିରେ ଡୋର୍‌ ଖୋଲି ଭିତରକୁ ପଶିଥିଲେ। ପରେ ଆଉ ଏକ ଚାବିରେ ଗାଡି ଷ୍ଟାର୍ଟ କରି ନେଇଯାଇଥିଲେ। ତେବେ ଡୁପ୍ଲିକେଟ ଚାବିରେ ଗାଡ଼ି ଚୋରିକରି ନେଇଥିବା ଜଣାପଡିଛି। ଏନେଇ ସେ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚୋରି ଗାଡ଼ି କିମ୍ବା ଅଭିଯୁକ୍ତଙ୍କୁ ଠାବ କରିପାରିନି।
ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଜଣ ଲୁଟେରା ବାବା ବେଶରେ ଆସି ଲୁଟ୍‌ କରୁଥିଲେ। ସେହିପରି ନିକଟରେ ଏହି ଅଞ୍ଚଳରେ ଏକାଧିକ କାର କାଚକୁ କେହି ଭାଙ୍ଗି ଦେଇଥିଲେ। ଏସବୁ ଘଟଣାକୁ ନେଇ ଅଭିଯୋଗ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନ ଥିବାବେଳେ ଏବେ କାର୍‌ ମାଲିକମାନେ ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି।

Share