ରାଜଧାନୀରେ ବଢ଼ୁଛି ବସ୍ତି ସଂକ୍ରମଣ ଆଶଙ୍କା: ସାଲିଆ ସାହିରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ମଧ୍ୟରେ ଥିବା ନିରାଙ୍କାରୀ ନଗରରେ ଜଣେ ୨୨ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି। ଯୁବକ ଦିଲ୍ଲୀରୁ ଫେରିଥିବା ବେଳେ ପେସାରେ ଜଣେ ଆଇଟି ପ୍ରଫେସନାଲ। ଏନେଇ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ମଙ୍ଗଳବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୨ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହଛି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ମୋଟ ୧୩୨ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ଆକ୍ରାନ୍ତଙ୍କ ମଧ୍ୟରୁ ୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୪ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୩ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ପୂର୍ବରୁ ସାଲିଆ ସାହିରୁ ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପ୍ରସବ ପାଇଁ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ବେଳେ ସେଠାରେ ତାଙ୍କର ନମୁନା ପଜିଟିଭ୍‌ ଆସିଥିଲା। ହେଲେ ତାଙ୍କ ନବଜାତ ସନ୍ତାନର ନମୁନା ନେଗେଟିଭ୍‌ ଆସିଥିଲା। ପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଯାଇଥିଲା। ବସ୍ତିରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିବା ଆଶଙ୍କାରେ ମହିଳାଙ୍କ ପଡ଼ୋଶୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ସହ ତାଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା।

Share