Categories: ମେଟ୍ରୋ

ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସେମାନେ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇଯାଉଛନ୍ତି। ଏହାପରେ ଘର ଦେବା ତ ଦୂରର କଥା, ଆଉ ଧରାଛୁଆଁ ଦେଉନାହାନ୍ତି। ଫୋନ୍‌ କଲେ କେହି ଉଠାଉ ନାହାନ୍ତି ତ ଆଉ କିଏ କଲ୍‌ ରିସିଭ ନ କରି କାଟି ଦେଉଛନ୍ତି। ଏଭଳି ଘଟଣା ବଢିିଚାଲିଛି। ବ୍ରୋକରଙ୍କ ଠକାମିର ଶିକାର ହୋଇଥିବା କଟକର ରାକେଶ ପଣ୍ଡା ଏ ନେଇ ଭୁବନେଶ୍ୱରସ୍ଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରୁଛି ପୋଲିସ।
ସୂଚନା ଅନୁଯାୟୀ, ରାଜଧାନୀରେ ଏକାଧିକ ବ୍ରୋକର ଅଫିସ ଖୋଲି ବସିଛନ୍ତି। ସେମାନେ ଭଡ଼ାଘର ଯୋଗାଇଦେବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଜ୍ଞାପନ ଦେଉଛନ୍ତି। ଭୁବନେଶ୍ୱରକୁ ନୂଆକରି ଆସୁଥିବା ଲୋକେ ଏହି ବିଜ୍ଞାପନକୁ ଦେଖି ବ୍ରୋକରଙ୍କ ସହ ଯୋଗାଯୋଗ କରନ୍ତି। ବ୍ରୋକର ସେମାନଙ୍କୁ ନିଜ ଅଫିସକୁ ଡାକି କେଉଁ ଅଞ୍ଚଳରେ ଓ କେତେ ଟଙ୍କା ଭିତରେ ଘର ଦରକାର ବୋଲି ପଚାରିଥାନ୍ତି। ଘର ଦେଖାଇବା ପାଇଁ ୧ହଜାର ଟଙ୍କାଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ଘର ଦେଖିବା ପରେ ମନୋନୀତ ହେଲେ ଭଡ଼ା ଘର ଦାମ୍‌ର ଅଧା ଟଙ୍କା ବ୍ରୋକର ନେଇଥାନ୍ତି। କିନ୍ତୁ ଅନେକ ବ୍ରୋକର ଘର ଦେବା ବାହାନାରେ ଏକାଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ଘର ଦେଇ ନ ଥାନ୍ତି। ଆଜିକାଲି ହୋଇଯିବ କହି ଦିନ ଗଡ଼ାଇଥାନ୍ତି। ଏପଟେ ଘର ଖୋଜୁଥିବା ବ୍ୟକ୍ତି ବିଳମ୍ବ ନ କରି ଅନ୍ୟ ଘର ନେଇଯାଇଥାନ୍ତି। ସେ ଟଙ୍କା ଫେରାଇ ଦେବାକୁ ବ୍ରୋକରଙ୍କୁ ଯୋଗାଯୋଗ କଲେ ମଧ୍ୟ ତାଙ୍କ ଭେଟ ପାଇ ନ ଥାନ୍ତି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ରୋକର ରାକେଶଙ୍କୁ ଆଇଆର୍‌ସି ଭିଲେଜରେ ଘର ଦେବାକୁ କହି ୫ହଜାର ଟଙ୍କା ନେଇଥିଲେ। ହେଲେ ଘର ଦେଇ ନ ଥିଲେ। ଟଙ୍କା ଫେରାଇ ଦେବାକୁ ରାକେଶ କହିଥିଲେ ମଧ୍ୟ ସେ ଆଉ ଧରାଛୁଅଁା ଦେଇ ନ ଥିଲେ। ଏପରି କି, ସମ୍ପୃକ୍ତ ବ୍ରୋକରଙ୍କୁ ପୋଲିସ ଫୋନ୍‌ କରିଥିଲେ ମଧ୍ୟ ସେ କଲ୍‌ ରିସିଭ କରି ନ ଥିବା ଜଣାପଡ଼ିଛି।

Share