Categories: ମେଟ୍ରୋ

ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ପୋଲିସ ଫୋର୍ସ

ଭୁବନେଶ୍ୱର,୭।୭(ବ୍ୟୁରୋ): ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ପାଇଁ ସବୁବେଳେ ସଜାଗ ରହୁଥିବା ପୋଲିସ ଫୋର୍ସ ଆଜି ନିଜେ ଅସୁରକ୍ଷିତ। ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନ ଥିବାବେଳେ ଖାଇବା ପିଇବା ପାଇଁ ପାଣି ମଧ୍ୟ ଠିକ ଭାବେ ମିଳୁନାହିଁ। ପଶୁଙ୍କୁ ଗୁହାଳରେ ରଖିବା ଭଳି ସେମାନଙ୍କୁ ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରଖାଯାଉଥିବାର ଦେଖିବାକୁ ମିଳିଛି। ପୋଲିସ ଫୋର୍ସ ପାଇଁ ବାରାକ ଥିଲେ ମଧ୍ୟ କେଉଁ କାରଣ ପାଇଁ ସେଠାରେ ରଖାଯାଉନାହିଁ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରୁଛି। ବିଧାନସଭା ହେଉ ଅବା ରାଲି, ଧାରଣା ଆଇନଶୃଙ୍ଖଳା ପାଇଁ ଅନ୍ୟ ଜିଲାରୁ ପୋଲିସ ଫୋର୍ସ ଭୁବନେଶ୍ୱର ଆସୁଛନ୍ତି। କିନ୍ତୁ ଅଧିକାରୀମାନେ ସେମାନଙ୍କୁ ପୋଲିସ ବାରାକରେ ନ ରଖି ନୟାପଲ୍ଲୀ ଥାନାର ବାମପାର୍ଶ୍ୱରେ ଥିବା ଏକ ୧୪ ତାଲା ବିଶିଷ୍ଟ ନିର୍ମାଣଧୀନ ଆପାର୍ଟମେଣ୍ଟରେ ରଖାଯାଉଛି। ନା ସେଠାରେ ବିଜୁଳି ଅଛି, ନା ପିଇବାକୁ ପାଣି। ରାତି ହେଲେ ମଶାର ପ୍ରାଦୁର୍ଭାବ ବଢ଼ିଯାଉଛି। ତେଣୁ ଏଠାରେ ରହୁଥିବା ପୋଲିସ କର୍ମଚାରୀଙ୍କୁ ମାଲେରିଆ ଭଳି ମାରାତ୍ମକ ଜ୍ୱର ହେଉଥିବା ଜଣାପଡିଛି। ସବୁଠୁ ବଡ ବିପଦ ହେଉଛି ଯେ, ଆପାର୍ଟମେଣ୍ଟଟି ଖୋଲାମେଲା ହୋଇଥିବାରୁ ଖସିପଡି ମୃତ୍ୟୁ ଘଟିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ରାତିରେ କର୍ମଚାରୀମାନେ ଖୋଲା ଆପାର୍ଟମେଣ୍ଟର ୨, ୩ ମହଲା ଉପରେ ଶୋଉଛନ୍ତି। ହଠାତ ବିଳମ୍ବିତ ରାତିରେ କେହି ଉଠିଲେ ଲାଇଟ ଅଭାବରୁ ଖସି ପଡିବାର ଭୟ ଅଧିକ ରହୁଛି। ଏହାସହ ଆପାର୍ଟମେଣ୍ଟରେ ପାଣିର ମଧ୍ୟ ଘୋର ଅଭାବ ଦେଖାଯାଇଛି। ଗାଧୋଇବାକୁ ସମସ୍ୟା ହେଉଥିବା ବେଳେ ଶୌଚ ଓ ପିଇବା ପାଇଁ ପାଣି ମିଳୁନି। ଏଥିପ୍ରତି ରାଜ୍ୟ ସରକାର ଓ ଦାୟିତ୍ୱରେ ରହୁଥିବା ପଦସ୍ଥ ଅଧିକାରୀ ଗୁରୁତ୍ୱ ଦେଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୩୧ତାରିଖ ରାତିରେ ଜଣେ ଓଆଇଏସ୍‌ଏଫ୍‌ (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟ୍‌ ଫୋର୍ସ)ର ମେଜର ମାନସ ସାହୁ ଖସିପଡି ଗୁରୁତର ହୋଇଥିଲେ। ସେହିଭଳି ଅନ୍ୟ ଦୁଇଜଣ ମଧ୍ୟ ଛୋଟମୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏତେ ସବୁ ଅଘଟଣ ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ଅଧିକାରୀମାନଙ୍କ ନିଦ ଭାଙ୍ଗୁନି। ଏନେଇ କର୍ମଚାରୀମାନେ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ ଦେଉନାହାନ୍ତି। ବରଂ ଯେଉଁମାନେ ଏକଥା ଉଠାଉଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଇ ଡରାଯାଉଥିବା ଖବର ମିଳିଛି।
କେବଳ ଆପାର୍ଟମେଣ୍ଟ ନୁହେଁ ରାଜଧାନୀରେ ଥିବା ପୋଲିସ ବାରାକରେ ମଧ୍ୟ ସମାବସ୍ଥା ଦେଖିବାକୁ ମିଳେ। ଯେଉଁଠି ରୋଷେଇ ହେଉଥିବ ସେଠାରେ ଡ୍ରେନ୍‌ ପାଣି ଯାଉଥିବା ବେଳେ ଅବସ୍ଥା ପୂରା ଜଟିଳ ରହିଛି। ଏ ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ପୋଲିସ ବାରାକରେ ଅନ୍ୟ ଫୋର୍ସ ରହୁଥିବାରୁ ସେଠାରେ ଜାଗା ନାହିଁ। ତେଣୁ ରାଜଧାନୀକୁ ଆସୁଥିବା ପୋଲିସ ଫୋର୍ସଙ୍କ ପାଇଁ ଅସ୍ଥାୟୀ ଜାଗା ଠିକ ହୋଇଥାଏ। ଏଭଳି ଅଭିଯୋଗ ପରେ ସେମାନଙ୍କୁ ସୁରକ୍ଷିତ ଜାଗାରେ ଥଇଥାନ ପାଇଁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Share