ରାଜଧାନୀରେ ବିଭିନ୍ନ ସ୍ଥାନରେ ମାସ୍କ ଯାଞ୍ଚ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ବାୟୁରେ କୋଭିଡ୍‌-୧୯ ସଂକ୍ରମଣ ସମ୍ଭାବନା ଥିବାରୁ ମାସ୍କ ବ୍ୟବହାରକୁ ଗୁରୁବାରଠାରୁ ବାଧ୍ୟତାମୂଳକ କରାଯାଇଛି। ତେବେ ପ୍ରଥମ ଦିନରେ କମିଶନରେଟ ପୋଲିସ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଥିଲା। ଦ୍ୱିତୀୟ ଦିନ ଅର୍ଥାତ୍‌ ଶୁକ୍ରବାରଠାରୁ ଯାଞ୍ଚକୁ କଡାକଡି କରାଯାଇଛି। ଏଣକି ୩ଥର ପର୍ଯ୍ୟନ୍ତ ବିନା ମାସ୍କରେ ଧରାପଡିଲେ ୨ଶହ ଓ ଏହାଠାରୁ ଅଧିକ ନିୟମ ଉଲ୍ଲଂଘନ କଲେ ୫ଶହ ଲେଖାଏ ଜରିମାନା କରାଯାଇଛି। ତେଣୁ ପୋଲିସ ରାଜଧାନୀର ବିଭିନ୍ନ ସ୍ଥାନ ଯଥା ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଶିଶୁଭବନ ଛକ, ଏଜି ଛକ, କଳ୍ପନା ଛକ, ପଟିଆ ଛକରେ ମାସ୍କ ଯାଞ୍ଚ କରିଥିଲା। ହେଲେ ପ୍ରାୟତଃ ସବୁଲୋକ ମାସ୍କ କିମ୍ବା କପଡ଼ାରେ ମୁହଁକୁ ଢାଙ୍କି ଯାତାୟାତ କରୁଥିବା ଦେଖୁବାକୁ ମିଳିଥିଲା। କିଏ ଗାମୁଛା, ରୁମାଲ ତ ଆଉ କିଏ ଅନ୍ୟକିଛି କପଡାକୁ ମୁହଁରେ ଭିଡିଥିଲେ। ଯେଉଁ କେତେଜଣ ମାସ୍କ ନ ପିନ୍ଧି ଧରା ପଡ଼ିଥିଲେ ସେମାନଙ୍କ ପୂରା ପରିଚୟ ଓ ଠିକଣା ଆଦି ତଥ୍ୟ ପୋଲିସ୍‌ ରଖି ଛାଡ଼ିଥିଲା। ଆଗକୁ ଧରାପଡିଲେ ଜରିମାନା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲା। ଅନ୍ୟପକ୍ଷରେ ପୋଲିସ କେତେକ ସ୍ଥାନରେ ମାସ୍କ ବାଣ୍ଟି ସଚେତନ କରିଥିବା ମଧ୍ୟ ଦେଖାଯାଇଥିଲା।

Share