ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ ଗାଡ଼ି ଚଳାଚଳ ଦେଖିବାକୁ ମିଳି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସିପିଆଇ ଓ ଅନ୍ୟ ଟ୍ରେଡ୍‌ ୟୁନିୟନ ମିଶି ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଜୟଦେବବିହାର, ରେଳ ଷ୍ଟେଶନ, ରସୁଲଗଡ଼ ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ ଓ ବ୍ୟାନର ଧରି ରାସ୍ତାରୋକୋ କରିଥିଲେ। ଯାଉଥିବା ବାଇକ୍‌ ଏବଂ ଚାରି ଚକିଆ ଯାନକୁ ଆଗକୁ ଯିବାକୁ ଦେଇ ନ ଥିଲେ। ଅନେକ ସ୍ଥାନରେ ଗାଡ଼ି ଚାଳକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତି ଯୋଗୁ କିଛି ଅଘଟଣକୁ ଏଡ଼ାଇ ଦିଆଯାଇଛି।

ସକାଳ ୮ଟା ଟ୍ରେଡ୍‌ ୟୁନିୟନର ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନ ଯାଇ ଟ୍ରେନ୍‌ ରୋକିଥିଲେ। ଫଳରେ ଅନେକ ଟ୍ରେନ୍‌ ଷ୍ଟେଶନରେ ଅଟକି ରହିିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା କଂଗ୍ରେସ କର୍ମୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପିକେଟିଂ ଓ ବ୍ୟାନର ଧରି ଲୋକମାନଙ୍କୁ ସହଯୋଗ କରିବାକୁ ବୁଝାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆନ୍ଦୋଳନ ଜାରି ରଖିଥିଲେ। ଶେଷରେ ମଧ୍ୟାହ୍ନ ୧୨ଟାରେ ରାଜମହଲରୁ ଏକ ବିଶାଳ ରାଲି ସଚିବାଳୟ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ୨ଶହ କର୍ମୀଙ୍କୁ ପୋଲିସ ଗିରଫ କରି ନେଇଥିଲା।

ବନ୍ଦ ଯୋଗୁ ବିମାନଯାତ୍ରୀମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପର୍ଯ୍ୟଟକମାନେ ନିଜର ଟିକେଟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ବିମାନବନ୍ଦରରେ ବହୁ ସମୟ ଅପେକ୍ଷା କରି ରହିଥିଲେ। ବନ୍ଦ ଯୋଗୁ ଅନେକ ଯୁବକ ଚଢ଼ାଦରରେ ବାଇକ୍‌ରେ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନେଉଥିବା ଦେଖାଯାଇଥିଲା। ବଡ଼ ବଡ଼ ଶପିଂ ମଲକୁ ଛାଡ଼ିଦେଲେ ଛୋଟ ଦୋକାନ, ବଜାର ଆଦି ଖୋଲା ରହିଛି। ବସ୍‌ଷ୍ଟାଣ୍ଡରେ ବସ୍‌ ଚଳାଚଳ ହେଉନ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତ ବନ୍ଦ ଆଶିଂକ ସଫଳ ହୋଇଥିବା ବେଳେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଛନ୍ତି।

Share