ରାଜଧାନୀରେ ଯୁଗ୍ମ ଅଯୁଗ୍ମ ନିୟମ: ଆଜି ଗଡ଼ିବ ଯୁଗ୍ମ ନମ୍ବର ଥିବା ଗାଡ଼ି

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପରେ କରୋନାକୁ ନେଇ କଠୋର ହୋଇଛି କମିଶନରେଟ ପୋଲିସ। ଏଥିପାଇଁ ଶୁକ୍ରବାର ଆଉଏକ ଗାଇଡଲାଇନ୍‌ ଜାରି ହୋଇଛି। ଯେଉଁଥିରେ ଲୋକମାନେ କିପରି ଅଧିକ ସଚେତନ ରହିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ନାନା ପରାମର୍ଶ ଦିଆଯାଇଛି। ନୂଆ ପଦକ୍ଷେପ ସ୍ବରୂପ ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚଳାଚଳରେ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ କରାଯାଇଛି। ବସ୍‌, ଟ୍ୟାକ୍ସି, ଅଟୋ ପାଇଁ ଏହା ଲାଗୁ ହେବ। ପ୍ରଥମ ଦିନ ଶନିବାର ରାଜଧାନୀରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ ଅର୍ଥାତ୍‌ ଗାଡ଼ି ନମ୍ବରର ଶେଷ ଅକ୍ଷର ଯୁଗ୍ମ ହୋଇଥିବ। ପରଦିନ ରବିବାର ଅଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ(ବିଏମ୍‌ସି) ସ୍ପଷ୍ଟ କରିଛି। ଜନସମାଗମକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାଦ୍ୱାରା ରାସ୍ତାରେ ଅଯଥା ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ। ଏହି ନିୟମ କେବଳ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଗାଡ଼ି ପାଇଁ ଲାଗୁ ହେବ। ପ୍ରାଇଭେଟ୍‌ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ସେହିଭଳି ସରକାରୀ, ଭଡ଼ା ଗାଡ଼ି ଓ ଜରୁରୀ କାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।
ନିର୍ଦ୍ଦେଶ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏଥିପାଇଁ ଥାନା ଅଧିକାରୀ ଓ ଜୋନ୍‌ ଏସିପିମାନଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଥାନାକୁ ଆସୁଥିବା ଲୋକଙ୍କୁ ହାତ ଧୋଇବା ପାଇଁ କହିବା ସହ ସାନିଟାଇଜର ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହିସବୁ ଗାଇଡ୍‌ ଲାଇନ୍‌କୁ ପାଳନ ପାଇଁ ପିସିଆର ଭ୍ୟାନ୍‌ ମଧ୍ୟ ପଇଁତାରା ମାରିବ। ଜଣେ ଏଏସ୍‌ଆଇ ର଼୍ୟାଙ୍କ୍‌ର ଅଫିସର ପିସିଆର ଭ୍ୟାନ୍‌ରେ ରହି ଏହାକୁ ତଦାରଖ କରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Share