ରାଜଧାନୀରେ ଶତାଧିକ ଚାଷୀ ଗିରଫ

ଭୁବନେଶ୍ୱର,୪ା୨(ବ୍ୟୁରୋ) : ନୟାଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ବକେୟା ପ୍ରଦାନ ଦାବିରେ ଗତ ୩୦ତାରିଖରୁ ଆରମ୍ଭ ହୋଇଥିବା ବିଶାଳ ପଦଯାତ୍ରା ସୋମବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚତ୍ଥିଲା। ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବହୁ ଚାଷୀ ତଥା ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ପଦଯାତ୍ରାରେ ପୂର୍ବାହ୍ନରେ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ପୋଲିସ ଶିଶୁଭବନ ନିକଟରେ ଅଟକାଇଥିଲା। କ୍ରିୟାନୁଷ୍ଠାନ କମିଟିର ୬ ଜଣିଆ ସଦସ୍ୟଙ୍କୁ ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଲୋଚନା ପାଇଁ ଡ଼କାଯାଇଥିଲା। ହେଲେ ଦୀର୍ଘ ସମୟ ସେଠାରେ ଅପେକ୍ଷା କରିବା ସତ୍ତ୍ୱେ କୌଣସି ପଦାଧିକାରୀ ସେମାନଙ୍କ ସହ ଆଲୋଚନା ପାଇଁ ଆସି ନ ଥିଲେ। ଫଳରେ କମିଟିର ଆବାହକ ବିଶ୍ୱନାଥ ମହାପାତ୍ର ଓ ସଭାପତି ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ନାରା ଦିଆଯାଇ ଲୋକସେବା ଭବନକୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଥିଲା। ଫଳରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ୧୦୦ଜଣଙ୍କୁ ଗିରଫ କରି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଛି।
ଉଲ୍ଲେଖଯୋଗ୍ୟ, ୧୯୮୮ରେ ନୟାଗଡ଼ ପାଣିପୋଇଲାଠାରେ ରାଜ୍ୟର ତୃତୀୟ ଚିନିକଳ ଆରମ୍ଭ ହୋଇଥିଲା। ସମୟାନୁକ୍ରମେ ସରକାର ନୟାଗଡ଼ ସୁଗାର କମ୍ପ୍ଲେକ୍ସ ହାତରେ ଚିନିକଳର ପରିଚାଳନା ଦାୟିତ୍ୱ ଦେଇଥିଲେ। ଏହାର ପରିଚାଳନା କରିବାରେ ସୁଗାର କମ୍ପ୍ଲେକ୍ସ କର୍ତ୍ତୃପକ୍ଷ ବିଫଳ ହେବା ସହ ହଜାର ହଜାର ଆଖୁଚାଷୀଙ୍କ ୭କୋଟି ଟଙ୍କା ଦେଇ ନ ପାରି ଚିନିକଳକୁ ବନ୍ଦ କରିଦେଇଥିଲେ। ଫଳରେ ନୟାଗଡ଼ ଜିଲାରେ ଏବେ ଆଖୁଚାଷୀ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏବେ ଉକ୍ତ ଚିନିକଳ  ବ୍ୟାଙ୍କ ଋଣରେ ଫସି ରହିଛି। ଋଣ ପୈଠ ନ ହେବା କାରଣରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିନିକଳକୁ ନିଲାମ କରିବା ପାଇଁ ମଧ୍ୟ ପ୍ରୟାସ କରିଲେଣି। ତେଣୁ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚିନିକଳ ପୁନଃ ଖୋଲିବା ସହ ଚାଷୀଙ୍କ ବକେୟା ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଯିବା ପାଇଁ ପଦଯାତ୍ରା କରାଯାଇଥିଲା। ନୟାଗଡ଼ରୁ ହଜାର ହଜାର ଚାଷୀ ପଦଯାତ୍ରା କରି ସୋମବାର ଭୁବନେଶ୍ୱରରେ ପହଞ୍ଚିଥିଲେ।g
Share