ରାଜଧାନୀରେ ହ୍ୟାଣ୍ଡଓ୍ବାଶ୍‌ କାରଖାନା ଉପରେ ଚଢ଼ାଉ: ବିନା ଲାଇସେନ୍ସରେ ଚଳାଉଥିଲେ ବ୍ୟବସାୟ

କଟକରୋଡ଼, ୩୧।୩(ଡି.ଏନ୍‌.ଏ.): ଦେଶରେ କରୋନା (କୋଭିଡ-୧୯) ବ୍ୟାପିବାରେ ଲାଗିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ବାଶ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଭଳି ପରିପ୍ରେକ୍ଷୀରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ହ୍ୟାଣ୍ଡ ଓ୍ବାଶ ତିଆରି କରୁଥିବା ଏକ କାରଖାନା ଉପରେ ପ୍ରେସ୍‌ କଣ୍ଟ୍ରୋଲର ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଡ୍ରଗ୍ସ ଇନ୍ସପେକ୍ଟର ଡ. ସୁଦର୍ଶନ ବିଶ୍ୱାଳଙ୍କ ସହ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ହ୍ୟାଣ୍ଡଓ୍ବାଶ୍‌ ତିଆରି ପାଇଁ ରଖାଯାଇଥିବା ପ୍ରାୟ ୩୫ ଲିଟର କେମିକାଲ, ପ୍ରସ୍ତୁତ ହୋଇଥିବା ୩ ଶହ ବୋତଲ ହ୍ୟାଣ୍ଡଓ୍ବାଶ୍‌, ହଜାରେ ଲେବୁଲ ଓ ପ୍ୟାକିଂ ଖୋଳ ଆଦି ଜବତ ହୋଇଛି। ଯେହେତୁ ହ୍ୟାଣ୍ଡଓ୍ବାଶ୍‌ ଏକ ପ୍ରସାଧନ ସାମଗ୍ରୀ ତେଣୁ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟଠାରୁ ଏଥିପାଇଁ ସମ୍ପୃକ୍ତ ମାଲିକ ଲାଇସେନ୍ସ ନେଇ ନ ଥିଲେ ବୋଲି ଇନ୍ସପେକ୍ଟର ବିଶ୍ୱାଳ କହିଛନ୍ତି। ଉକ୍ତ କାରଖାନା ଉପରେ ଚଢ଼ାଉ କରାଯାଇ ମାଲିକଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ଇନ୍ସପେକ୍ଟର ସୂଚନା ଦେଇଛନ୍ତି।