ରାଜଧାନୀର ୧୭ ଘରୋଇ ହସ୍‌ପିଟାଲରେ ହୋଇପାରିବ ଫ୍ଲୁ ପରୀକ୍ଷଣ: ବାଗ୍‌ଚୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ରାତିଦିନ ଏକ କରି କାମ କରୁଥିବା ପ୍ରତ୍ୟେକ ଲାବରେଟୋରୀ କର୍ମଚାରୀ, ଟେକ୍‌ନିସିଆନ୍‌ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର କୃତଜ୍ଞତା ଜ୍ଞାପନ କରିଛନ୍ତି। ଟାଟା ଷ୍ଟିଲ୍‌ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଏବଂ ୧୫ ଆଇସିୟୁ ସୁବିଧା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ପ୍ରଶାସନ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ କରାଯିବ। ଏଥିନିମନ୍ତେ ଆଇସିଏମ୍‌ଆର୍‌ର ଅନୁମୋଦନ ମିଳିଛି। ଏପରି ହେବାରେ ଏହା ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣମାନେ କୋଭିଡ ପରୀକ୍ଷଣ କରିପାରିବେ। କୋଭିଡ -୧୯ ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବମ୍ବେରୁ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ୪ହଜାର ପରୀକ୍ଷଣ କିଟ୍‌ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ଫ୍ଲୁ ପରି ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ୱରର ୧୭ଟି ଘରୋଇ ଡାକ୍ତରଖାନାରେ ଜନସାଧାରଣଙ୍କୁ ପରୀକ୍ଷା ଏବଂ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଡିକାଲ ଗୁଡ଼ିକ ହେଲା ଆମ୍ରି, କଳିଙ୍ଗ, ନିଳାଚଳ, ସନ୍‌ସାଇନ୍‌, ସ୍ପର୍ସ,ବ୍ଲୁ ହୁଇଲ୍‌, କେୟାର, ଅଶ୍ୱିନୀ, ଆଦିତ୍ୟ, ମହାଶକ୍ତି, ଭୁବନେଶ୍ୱର, ବିବେକାନନ୍ଦ, ପଦ୍ମା, ଗ୍ୟାଷ୍ଟ୍ରୋ କୀଡନୀକେ, ଭିଏମ୍‌ଆର୍‌ଆଇ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ନସିଂହୋମ୍‌, ପଣ୍ଡା ନର୍ସିଂହୋମ୍‌ ପ୍ରମୁଖ । ଏସବୁ ହସ୍ପିଟାଲରେ ଫ୍ଲୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାବ୍ୟତିତ କ୍ୟାପିଟାଲ୍‌ ହସ୍ପିଟାଲ, ଆର୍‌ଜିଏଚ୍‌ ରାଉରକେଲା ଏବଂ ଅନ୍ୟାନ୍ୟ ଜିଲା ହସ୍ପିଟାଲ ଗୁଡ଼ିକରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share