ରାଜଧାନୀ ପାଣି ପାଣି

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ ମନ୍ଦିର ଅଞ୍ଚଳ, ବେହେରାସାହି, ରସୁଲଗଡ଼, କଟକ ରୋଡ୍‌, ମାଉସୀମା ଛକ, ୟୁନିଟ-୮ ଅଞ୍ଚଳ, ବମିଖାଲ, ସୂର୍ଯ୍ୟନଗର, ପୋଖରୀପୁଟ, ସୌଭାଗ୍ୟନଗର, ସତ୍ୟବିହାର, ଜିଜିପି କଲୋନୀ, ସାଲିଆସାହି ଆଦି ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ମୁଖ୍ୟ ରାସ୍ତା ଯଥା ବିଦ୍ୟୁତ୍‌ ମାର୍ଗ, ଜନପଥ, କଟକରୋଡ୍‌ ଓ ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥର ସ୍ଥିତି ସବୁଠୁ ଜଟିଳ ହୋଇପଡିଥିଲା। ସେହିପରି ଅନେକ କଲୋନୀ ଓ ତଳି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା। ପାଣି ଛାଡ଼ିବା ପରେ ମଇଳା ଓ ଆବର୍ଜନାର ଆସ୍ତରଣ ରାସ୍ତାରେ ଜମି ରହିଥିଲା। ପାଣିରେ ଫସି ରହିଥିବା ଗାଡ଼ି ଓ ସାଇକେଲରେ ମଧ୍ୟ ଆବର୍ଜନା ଲାଖିରହିଥିବା ଦେଖିବାକୁ ମିଳିଥିଲା।

ଜନ୍ମାଷ୍ଟମୀ ପାଇଁ ଶୁକ୍ରବାର ସକାଳୁ ଚଳଚଞ୍ଚଳ ଥିଲା ରାଜଧାନୀ। ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଲୋକେ ଯିବାଆସିବା କରୁଥିଲେ। ଆଉ କିଏ ଅନ୍ୟ କାର୍ଯ୍ୟରେ ବାହାରିଥିଲେ। ଛୁଟିଦିନ ସହ ଭଲ ପାଗ ଥିବାରୁ ରାସ୍ତାଘାଟ ସବୁଠି ଭିଡ଼ ବି ଥିଲା। ସକାଳ ପ୍ରାୟ ୮ଟା ୪୫ ବେଳକୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷା ବଢ଼ିବା ସହ ସାଢ଼େ ୯ଟାରେ ହଠାତ୍‌ ନିର୍ଧୂମ୍‌ ଛେଚିଥିଲା। ଦେଢ଼ ଘଣ୍ଟା ଧରି ବାଦଲଫଟା ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହୋଇଯାଇଥିଲା। ରାସ୍ତା, ଡ୍ରେନ୍‌ ଏକାକାର ହୋଇପଡିଥିଲା। ସହରର ଅଧିକାଂଶ ମୁଖ୍ୟ ରାସ୍ତା, ଓଭରବ୍ରିଜ ଓ କଲୋନୀ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ତେବେ କିଛି ସମୟ ପରେ ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯାଇଥିଲା। ଡ୍ରେନ୍‌ର ଲେଉଟାଣି ଆର୍ବଜନା ମିଶା ପାଣି ବିଭିନ୍ନ ରାସ୍ତାକୁ ବୁଡାଇ ଘର, ବାହାରେ ଯେଉଁଠି ପାରିଲା ପଶିଥିଲା। ଏପଟେ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ହେବାରୁ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ସହରର ସ୍ଥିତି ପୂରା ଜଟିଳ ହୋଇଯାଇଥିଲା। କେଉଁଠି କାର୍‌ ଭାସୁଥିଲା ତ ଆଉ କେଉଁଠି ବାଇକ୍‌ଗୁଡିକ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଥିଲା। ଲୋକେ ବହୁ ସମୟ ଧରି ଫସି ରହି ହଟହଟା ହୋଇଥିଲେ। ଏପରି ସ୍ଥିତି ପାଇଁ କିଏ ସରକାରଙ୍କୁ ତ ପୁଣି ଆଉ କିଏ ଭୁବନେଶ୍ୱର ମହାନଗର ନିଗମକୁ ଗାଳି କରୁଥିବା ଶୁଣିବାକୁ ମିଳିଥିଲା। ଏପରିକି ସ୍ମାର୍ଟ ସିଟିକୁ ନେଇ ନାନା କଟାକ୍ଷ କରୁଥିଲେ।