ରାଜଧାନୀ ମଡେଲ ସ୍କୁଲ ଲାଗି ଖଣ୍ଡଗିରି ନିକଟରେ ଜାଗା ଚିହ୍ନଟ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟର ବର୍ତ୍ତମାନ ୨୧୪ଟି ବ୍ଲକରେ ମଡେଲ ସ୍କୁଲ ରହିଛି। ଏହିସବୁ ମଡେଲ ସ୍କୁଲରେ ଛାତ୍ରୀନିବାସ ରହିଥିବାବେଳେ ଛାତ୍ର ନିବାସ ଏବଂ ଖେଳପଡ଼ିଆ ବ୍ୟବସ୍ଥା ରହିନାହିଁ। ତେଣୁ ଆଗକୁ ରାଜଧାନୀ ଭୁବନେଶ୍ୱରରେ ଏକ ଇଣ୍ଟିଗ୍ରେଟେଡ ମଡେଲ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର ନିକଟରେ ନିଷ୍ପତ୍ତି ନେଇଥିଲେ। ଏହି ମଡେଲ ସ୍କୁଲରେ ଛାତ୍ରୀ ନିବାସ, ଛାତ୍ରନିବାସ ଏବଂ ଖେଳପଡ଼ିଆ ସୁବିଧା ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରଠାରେ ହେବାକୁ ଥିବା ମଡେଲ ସ୍କୁଲ୍‌ଟିର ଶ୍ରେଣୀ ଗୃହ ସିବିଏସ୍‌ଇ ସ୍କୁଲ ଢାଞ୍ଚାରେ କରାଯିବ। ଯଦି ଏହା ସଫଳ ହୁଏ ତେବେ ପରେ ସେହି ଢାଞ୍ଚାରେ ଅନ୍ୟ ଜିଲାରେ ମଧ୍ୟ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ରାଜଧାନୀରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଥିବା ଏହି ମଡେଲ ସ୍କୁଲ ଲାଗି ଜାଗା ଚିହ୍ନଟ କରିବା ପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରାଥମିକ ଭାବେ ଖଣ୍ଡିଗିରି ନିକଟସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ପାଖରେ ମଡେଲ ସ୍କୁଲ ଲାଗି ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଚିହ୍ନଟ ହୋଇଥିବା ସରକାରୀ ସ୍ଥାନରେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ନିକଟରେ ଆଉଥରେ ଏକ ବୈଠକ ବସିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Share