Categories: ମେଟ୍ରୋ

ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼

ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକ ଚିତ୍କାର କରି ଦୌଡ଼ୁଥିବାବେଳେ ଦୁଇଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆକ୍ରମଣର ଶିକାର ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତ ଯୁବକ ହେଲେ ଏହି ଥାନାଞ୍ଚଳରେ ରହୁଥିବା ଅଭୟ ନାୟକ। ପୋଲିସ ଏହି ଘଟଣାରେ ମାମଲା ନଂ.୫୭୨/୧୯ ରୁଜୁ କରି ଗୁରୁବାର ୨ ଅଭିଯୁକ୍ତ ସ୍ମୃତି ରଞ୍ଜନ ସେଠୀ ଓ ଭାଇ ବିଜୟ ନାୟକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନାନୁସାରେ, ପାସପୋର୍ଟ ଅଫିସ ନିକଟରେ ଅଭୟଙ୍କ ଦାଦା ରବୀନ୍ଦ୍ର ନାୟକ କ୍ୟାବିନ ପକାଇ ଦୋକାନ କରିଛନ୍ତି। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କ୍ୟାବିନକୁ ଓଲଟାଇ ଦେଇଥିଲେ। ପୂର୍ବରୁ ରବୀନ୍ଦ୍ରଙ୍କ ସହ ସ୍ମୃତିରଞ୍ଜନଙ୍କର ତିକ୍ତତା ଥିଲା। ସ୍ମୃତି ରଞ୍ଜନ ହିଁ ଏପରି କାଣ୍ଡ କରିଥିବା ସନ୍ଦେହ କରି ରବୀନ୍ଦ୍ରଙ୍କ ପୁତୁରା ଅଭୟ ତାଙ୍କୁ ପଚାରିବାକୁ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ମାର୍‌ପିଟ୍‌ ହୋଇଥିଲା। ଏ ନେଇ ସ୍ମୃତି ଥାନାରେ ଅଭିଯୋଗ କରି ଫେରିବା ସମୟରେ ପାସ୍‌ପୋର୍ଟ ଅଫିସ ଛକ ନିକଟରେ ଅଭୟ ଥିବା ଦେଖି ତାଙ୍କୁ ଆକ୍ରମଣ ପାଇଁ ଯୋଜନା କରି ବଡ଼ଭାଇ ବିଜୟଙ୍କୁ ଡକାଇଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ମିଶି ଅଭୟ ଓ ଦାଦା ରବୀନ୍ଦ୍ରଙ୍କୁ ଛୁରି ଧରି ଗୋଡ଼ାଇଥିଲେ। ତେବେ ରବୀନ୍ଦ୍ର ଖସି ପଳାଇଥିବାବେଳେ ଅଭୟ କିନ୍ତୁ ବର୍ତ୍ତିପାରି ନ ଥିଲେ। ସ୍ମୃତି ଓ ବିଜୟ ଛୁରିରେ ଅଭୟଙ୍କ ଛାତି, ପେଟ ଓ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ମାରିଥିଲେ। ଲୋକମାନେ ଦେଖୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ସାହସ କରି ନ ଥିଲେ। ଅଭୟଙ୍କ ଚିତ୍କାର ଶୁଣି ସେହିବାଟ ଦେଇ ଯାଉଥିବା ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଅଟକି ଯିବା ସହ ତୁରନ୍ତ ସେଠାରେ ପହଞ୍ଚତ୍ ସ୍ମୃତିରଞ୍ଜନଙ୍କୁ ମାଡ଼ିବସିଥିଲେ। ପରେ ଅଭୟଙ୍କୁ ଗୁରୁତର ଅବସ୍ଥାରେ ଥାନା ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share