ରାଜନଗର, ୧୧।୫(ଡି.ଏନ୍.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ ଜଣଙ୍କ ଘଡ଼ିଆମାଳ ସଂଗରୋଧ ଗୃହରେ ରହିଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କଟକ କୋଭିଡ ହସ୍ପିଟାଳକୁ ଚିକିତ୍ସା ପାଇଁ ସୋମବାର ସକାଳୁ ପଠାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ. ରଶ୍ମିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଘଡ଼ିଆମାଳ ବିଣାପାଣି ଉଚ୍ଚ ବିଦ୍ୟାଳୟ ରେ ସଂଗରୋଧ ଗୃହରେ ଥିବା ଅନ୍ୟ ୫ ଜଣଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ଗତ ମାସରେ ଏହି ବ୍ଲକ ନଳଦିଆ ଗ୍ରାମର ୧୫ ବର୍ଷର ବାଳିକା କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦ୍ରାପଡ଼ା