ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍‌ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍‌ କାର୍ଯ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍‌ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ ଟିକିଏ ଅସୁବିଧା ହୋଇଥିଲା। ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଭ୍ୟ ଧ୍ରୁବଚରଣ ସାହୁ ପଚାରିଥିଲେ ଯେ, କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର କେତୋଟି ରାଜସ୍ବ ଗ୍ରାମକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯାଇନାହିଁ। କେଉଁ ଗ୍ରାମଗୁଡ଼ିକୁ କେବେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯିବ। ମନ୍ତ୍ରୀ କହିଥିଲେ, କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସମସ୍ତ ଗ୍ରାମକୁ ବିଦ୍ୟୁତୀକରଣ କରାଯାଇଛି। ବ୍ଲକର କେତେକ ଗ୍ରାମରେ ବିଦ୍ୟୁତ୍‌ ଭିତ୍ତିଭୂମିର ସଂଯୋଗୀକରଣ କାର୍ଯ୍ୟ ଚାଲୁ ରହିଛି। ତାହା ଯଥାଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ କରାଯାଉଛି। ରାଜନଗର ବ୍ଲକର ବଡ଼ାଡିଆଠାରେ ୩୩/୧୧ କେଭି ସବ୍‌ଷ୍ଟେଶନ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ବ୍ଲକର କୁନ୍ଦୁପୁରଠାରେ ଏକ ୧୩୨/୩୩କେଭି ଗ୍ରୀଡ୍‌ ସବ୍‌ଷ୍ଟେଶନ କାର୍ଯ୍ୟ ଚାଲୁ ରହିଛି। ଏହାକୁ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share