Categories: ଜାତୀୟ

ରାଜନାଥଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ବେଜିଂ, ୧୬ା୧୧(ପି.ଟି.) : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ଗସ୍ତକରି ମୈତ୍ରୀ ଦିବସ ସମାରୋହରେ ଅଂଶଗ୍ରହଣ କରିଥିବାବେଳେ ଚାଇନା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ଦତର ଅଂଶବିଶେଷ ବୋଲି ଚାଇନା ପକ୍ଷରୁ ଦାବି କରାଯାଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ କହିଛନ୍ତି, ଭାରତୀୟ ନେତା କିମ୍ବା ଅଧିକାରୀଙ୍କ ସେଠାକୁ ଗସ୍ତକରିବାକୁ ଆମେ ବିରୋଧ କରୁଛୁ। ସୀମା ସମସ୍ୟାକୁ ଜଟିଳ କରୁଥିବା ଏଭଳି ବିଭିନ୍ନ ପଦକ୍ଷେପଠାରୁ ଭାରତ ଦୂରେଇ ରହିବା ଲାଗି ସେ କହିଛନ୍ତି। ସୀମାରେ ଶାନ୍ତିରକ୍ଷା ଲାଗି ଚାଇନା ସ୍ବାର୍ଥ ଉପରେ ଆଞ୍ଚ ନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରକାଶଥାଉ କି, ଅରୁଣାଚଳକୁ ନିଜର ବୋଲି ଦାବି କରିଆସୁଥିବା ଚାଇନା ସହ ସମସ୍ୟାର ସମାଧାନ ଲାଗି ୨୧ ଥର ଆଲୋଚନା ସରିଲାଣି। ଭାରତ ଏହାକୁ ଆଭ୍ୟନ୍ତରୀଣ ଅଂଶ ବୋଲି ଦାବିକରିଆସୁଛି।

Share