ବୈକୁଣ୍ଠ ନାଥ ମିଶ୍ର
ସମ୍ପ୍ରତି ଦେଶ ଏକ ଅଦ୍ଭୁତ ସ୍ଥିତିରେ ଉପନୀତ। ଶାସନ, ପ୍ରଶାସନ ଏପରି କି ନ୍ୟାୟିକ ସଂସ୍ଥା ଛୋଟ ବଡ ଅପରାଧରେ ଜଡିତ ବ୍ୟକ୍ତିମାନଙ୍କ ଦ୍ୱାରା କଳୁଷିତ ହେବାରେ ଲାଗିଛି। ୨୦୧୯ରେ ଗଠିତ ସପ୍ତଦଶ ଲୋକ ସଭାରେ ୪୬ ପ୍ରତିଶତ ସଦସ୍ୟଙ୍କର ଆପରାଧିକ ପୃଷ୍ଠଭୂମି ରହିଛି ବୋଲି ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ଗୋପାଲ ଶଙ୍କର ନାରାୟଣ। ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିବିଶେଷଙ୍କ ନିର୍ବାଚନରେ ପ୍ରାର୍ଥିତ୍ୱ ପ୍ରସଙ୍ଗକୁ ନେଇ ଅନେକ ବିତର୍କ ସୃଷ୍ଟି ହୋଇଥିଲେ ମଧ୍ୟ ସେଥିପ୍ରତି କର୍ଣ୍ଣପାତ କରାଯାଇନାହିଁ। ଏ ସମ୍ବନ୍ଧରେ ଏକ ଆଇନର ଆବଶ୍ୟକତା ଥିଲେ ମଧ୍ୟ ପାର୍ଲାମେଣ୍ଟ କିମ୍ବା ବିଧାନସଭାମାନେ ଏହାକୁ କେବେ ଗୁରୁତ୍ୱ ଦେଇନାହାନ୍ତି। ଅପରାଧ ବିଜଡିତ ସଦସ୍ୟମାନଙ୍କୁ ନିର୍ବାଚନ ବାସନ୍ଦ ପ୍ରସ୍ତାବ କେବେ ବି ପାର୍ଲାମେଣ୍ଟରେ ଆଗତ ହୋଇପାରିବ ନାହିଁ। ଗୃହୀତ ହେବା ତ ଦୂରର କଥା। କାରଣ ଶାସକ ଓ ତା’ର ମିତ୍ର ଦଳ କିମ୍ବା ବିରୋଧୀ ଓ ତା’ର ମିତ୍ର ଦଳ ସବୁଠି ଅପରାଧୀଙ୍କ ଭିଡ। ତେଣୁ ଏ ପ୍ରକାର ଆଇନ କରି ନିଜ ଗୋଡରେ କୁରାଢି ଚୋଟ ମାରିବାକୁ କେଉଁ ଦଳ ବା ଚାହିଁବ। ପାର୍ଲାମେଣ୍ଟଠାରୁ ଏପରି ଆଶା ଯେତେବେଳେ କ୍ଷୀଣ, ଅନ୍ତତଃ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। କିନ୍ତୁ ଆଜିକାଲି କିଛି ନ୍ୟାୟାଧୀଶଙ୍କୁ ମଧ୍ୟ ଅପରାଧ ମାନସିକତା ଗ୍ରାସ କରିଥିବାର ଚାଞ୍ଚଲ୍ୟକର ତଥ୍ୟ ବିଭିନ୍ନ ଗଣମାଧ୍ୟମରୁ ଲବ୍ଧ ହୁଏ।
ସର୍ବୋଚ୍ଚ ନ୍ୟାୟାଳୟର ବିଦାୟୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ବିରୋଧରେ ଆଗତ ଏକ ଅପରାଧ ଅଭିଯୋଗକୁ ବିନା ବିଚାରରେ ଉଡାଇ ଦିଆଗଲା। ଏପରି କି ସାଧାରଣ ତଦନ୍ତ ଟିକେ ମଧ୍ୟ ହେଲା ନାହିଁ। ତଦନ୍ତରେ ନିରପରାଧ ସାବ୍ୟସ୍ତ ହୋଇଥିଲେ ସିଜେଆଇଙ୍କର ଗୌରବ ପ୍ରତିଷ୍ଠିତ ହୋଇଥାନ୍ତା। ଅନ୍ୟଥା ସନ୍ଦେହର ଟିକା ଧାରଣ କରି ଚାକିରିରୁ ତାଙ୍କୁ ବିଦାୟ ନେବାକୁ ହେଲା। ଭାରତୀୟ ମହାନ୍ ସଂସ୍କୃତିର ଏହା ଘୋର ପରିପନ୍ଥୀ। ମାତା ସୀତାଙ୍କର ସତୀତ୍ୱ ସର୍ବଜନ ବିଦିତ ଥିବା ସତ୍ତ୍ୱେ ତାଙ୍କୁ କେବଳ ଅଗ୍ନିପରୀକ୍ଷା ଦେବାକୁ ହୋଇ ନ ଥିଲା। ବରଂ ଜଣେ ରଜକର କଟୂ ମନ୍ତବ୍ୟ ଯୋଗୁ ତାଙ୍କୁ ବହିଷ୍କରଣ ଦଣ୍ଡ ଭୋଗିବାକୁ ହୋଇଥିଲା। ନ୍ୟାୟାଧୀଶମାନେ ଏ ବିଷୟରେ ସଚେତନ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେବା ବାସ୍ତବିକ ପରିତାପର ବିଷୟ। ୨୪ ଜାନୁୟାରୀ ୨୦୨୦ରେ ରାଜନୀତିରେ ଅପରାଧକରଣକୁ ପ୍ରଶ୍ରୟ ଦେବା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଘୋର ଚିନ୍ତା ପ୍ରକଟ କରିଥିଲେ। ନିର୍ବାଚନ କମିଶନ ମଧ୍ୟ ଅପରାଧରେ ଜଡିତ ନେତାଙ୍କୁ ଟିକେଟ ଦେବା ଉପରେ ନିଷେଧାଦେଶ ଜାରି କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଜଷ୍ଟିସ ଆର.ଏଫ. ନରିମାନ ଓ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନରେ ଅପରାଧ ରେକର୍ଡ ଥିବା ନେତାଙ୍କୁ ସୁଯୋଗ ନ ଦେବା ପରିପ୍ରେକ୍ଷୀରେ କମିଶନ ପଦକ୍ଷେପ ନେବାକୁ କହିଛନ୍ତି। ୨୦୧୮ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ଏବଂ ସେମାନଙ୍କ ଦଳ ପ୍ରାର୍ଥୀଙ୍କର ଅପରାଧ ସ୍ବୀକାରୋକ୍ତି ଦଳର ଓ୍ବେବ୍ସାଇଟରେ ପ୍ରକାଶ କରିବା ଆବଶ୍ୟକ। ସ୍ବାଧୀନ ପ୍ରାର୍ଥୀମାନେ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ଅପରାଧ ବିବରଣୀ ପ୍ରକାଶ କରିବା ଉଚିତ।
ବର୍ତ୍ତମାନ ପ୍ରଶ୍ନ ଉଠେ ଯଦି ସରକାରଙ୍କର ଦୁଇଟି ସଂସ୍ଥା ଯଥା ଶାସନ ଓ ବ୍ୟବସ୍ଥାପକରେ ଅପରାଧୀମାନଙ୍କର ନିରଙ୍କୁଶ ପ୍ରବେଶ ରହେ, ତେବେ ଏ ଦେଶର ଭବିଷ୍ୟତ କ’ଣ ହେବ। ଅବଶ୍ୟ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ଛୋଟମୋଟ ଅପରାଧ କରିବା ଏକ ସାଧାରଣ ପ୍ରକ୍ରିୟା, ଯେହେତୁ ସେମାନେ ଲୋକପ୍ରତିନିଧି ଏବଂ ଜନସ୍ବାର୍ଥକୁ ନେଇ କାମ କରନ୍ତି, ତାଙ୍କ ଅଜ୍ଞାତରେ ମଧ୍ୟ ଅପରାଧ ସଂଘଟିତ ହୋଇଯାଇପାରେ। ରାସ୍ତାରୋକୋ, ଆଇନ ଅମାନ୍ୟ, ପୋଲିସ କର୍ଡନ ଭଙ୍ଗ ଇତ୍ୟାଦିକୁ ନେଇ ଆନ୍ଦୋଳନ କଲାବେଳେ ଅପରାଧ ଛାଏଁ ଛାଏଁ ହୋଇଯାଇଥାଏ। ବିରୋଧୀ ଦଳର ସାମାନ୍ୟ ଅପରାଧକୁ ଶାସକ ଦଳର ପ୍ରରୋଚନାରେ ପୋଲିସ ଗୁରୁତ୍ୱର ସହ ନେଇଥାଏ। ସମାନ ଅପରାଧ ପାଇଁ ଶାସକ ଦଳ ନେତାଙ୍କୁ ଛାଡ ମିଳୁଥିବା ବେଳେ ବିରୋଧୀଙ୍କ କ୍ଷେତ୍ରରେ ପୋଲିସ ସଙ୍ଗିନ ଦଫା ଲଗାଇ ଆରେଷ୍ଟ କରେ, ଯାହାଫଳରେ ତାଙ୍କ ବିରୋଧରେ ମକଦ୍ଦମା ଚାଲେ ଏବଂ ଜାମିନ ମିଳିଲେ ମଧ୍ୟ ସେମାନେ ଆଇନ ଆଖିରେ ଅପରାଧୀ ସାଜନ୍ତି। ଏହି ପ୍ରେକ୍ଷାପଟରେ ଦେଖିଲେ ଅଧିକାଂଶ ନେତାଙ୍କ ବିରୋଧରେ କିଛି ନା କିଛି ଆପରାଧିକ ପୃଷ୍ଠଭୂମିର ସୂଚନା ମିଳେ।
ଜନସାଧାରଣ କେବେ ଚାହାନ୍ତି ନାହିଁ ଯେ ତାଙ୍କ ପ୍ରିୟ ନେତାଙ୍କର କୌଣସି ଆପରାଧିକ ପୃଷ୍ଠଭୂମି ଥାଉ। ସେମାନେ ଚାହାନ୍ତି ନିରପରାଧ, ନିଷ୍କଳଙ୍କ ବ୍ୟକ୍ତିତ୍ୱଙ୍କୁ ପ୍ରାର୍ଥିତ୍ୱ ପ୍ରଦାନ କରାଯାଉ। ଅନେକ ସମୟରେ କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଜାତୀୟଠାରୁ ପ୍ରାନ୍ତୀୟ ରାଜନୀତି ପର୍ଯ୍ୟନ୍ତ ନିରୀକ୍ଷଣ କଲେ ଜଣାଯାଏ ସତେ ଯେପରି ଅପରାଧ ଓ ରାଜନୀତି ପରସ୍ପର ପରିପୂରକ। ନେତା ଯେତେ ପ୍ରଭାବଶାଳୀ ତାଙ୍କ ଅପରାଧ ମଧ୍ୟ ତଦନୁଯାୟୀ ଗମ୍ଭୀର। ବେଳେବେଳେ ଶାସକ ଦଳର ଆକ୍ରୋଶର ଶିକାର ହୋଇ ବିରୋଧୀ ଦଳର ପ୍ରଭାବଶାଳୀ ନେତାଙ୍କୁ ଅପରାଧୀ ପ୍ରମାଣିତ କରି କାରାରୁଦ୍ଧ କରାଯିବାର ଦୃଷ୍ଟାନ୍ତ ଆମ ଦେଶରେ ଊଣା ନାହିଁ। ବିରୋଧୀଙ୍କୁ ସମାଲୋଚନା ଓ କୁତ୍ସାରଟନା ଶାସନ ଗାଦିକୁ ଫେରିଲା ପରେ ପ୍ରତିପକ୍ଷ ପାଇଁ ବୁମେରାଂ ହୋଇଥାଏ। ଶାସକ ଓ ବିରୋଧୀ ସମର୍ଥକଙ୍କ ମଧ୍ୟରେ ଶତ୍ରୁତାର ପ୍ରାଚୀର ସଶକ୍ତ ହୁଏ। ଫଳରେ ଅପରାଧ ମାନସିକତାର ଉଦ୍ରେକ ହୁଏ। ଅପରାଧୀମାନେ ନେତା ଆସନରେ ବସିଲେ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି। ଅନ୍ତରରେ ଅପରାଧର ବିଷକୁମ୍ଭ ଧାରଣ କରି ମଧୁର ବଚନରେ ପିଠି ଆଉଁଶି ଭୋଟ ହାତେଇବା ଲୋକଙ୍କର ବର୍ତ୍ତମାନ ରାଜନୀତିରେ ଗହଳି ସୃଷ୍ଟି ହୋଇଛି। ସବୁ ଦଳରେ ଏପରି ନେତାଙ୍କର ଉପସ୍ଥିତି ଦୃଶ୍ୟମାନ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଲାମେଣ୍ଟରେ ୨୪ ପ୍ରତିଶତ ସାଂସଦଙ୍କ ନାମରେ ଆପରାଧିକ ମାମଲା ଥିଲାବେଳେ ୨୦୦୯ରେ ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଇଲା। ୨୦୧୪ ନିର୍ବାଚନରେ ଅପରାଧୀ ସାଂସଦଙ୍କ ସଂଖ୍ୟା ୩୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬ ପ୍ରତିଶତ ହୋଇଛି। ଅପରାଧୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଦଳଗୁଡ଼ିକ ପ୍ରାର୍ଥୀ ଚୟନ କରିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ରକୁ ଗୁରୁତ୍ୱ ନ ଦେଇ ସେମାନେ କେତେ ଧନୀ ଓ କରିତକର୍ମା ତାହା ବିଚାର କରାଯାଉଛି।
ସୁପ୍ରିମକୋର୍ଟ ଅନେକ ଦିନର ଅପେକ୍ଷାର ଅନ୍ତ ଘଟାଇ ପରିଶେଷରେ ଗତ ଫେବୃୟାରୀ ୧୩ ତାରିଖରେ ଅପରାଧୀ ନେତାଙ୍କର ନିର୍ବାଚନରେ ଅଂଶଗ୍ରହଣ ଉପରେ ଅଙ୍କୁଶ ଲଗାଇଛନ୍ତି। ଅପରାଧର ମାତ୍ରାକୁ ନେଇ ଏହାକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ ଯଥା ସାଧାରଣ ଅପରାଧ ଓ ସଙ୍ଗିନ ଅପରାଧ। ଆଇନ ଅମାନ୍ୟ, ରାସ୍ତାରୋକୋ ଇତ୍ୟାଦି ସାଧାରଣ ଅପରାଧକୁ ଧର୍ତ୍ତବ୍ୟ ଭାବେ ଗ୍ରହଣ ନ କରି ନରହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଅର୍ଥ ତୋସରପାତ, ଦେଶ ସମ୍ପତ୍ତି ନଷ୍ଟ, ନାରୀମାନଙ୍କୁ ଯୌନ ନିର୍ଯାତନା, ଠକେଇ ସଂପୃକ୍ତି ଇତ୍ୟାଦି ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ରାଜନୀତିରୁ ବହିଷ୍କାର କରାଯିବା ଉଚିତ। ସେମାନଙ୍କ ଯୋଗୁ ପ୍ରଜ୍ଞାଶୀଳ ବ୍ୟକ୍ତି ରାଜନୀତି, ଏପରି କି ମତଦାନ ପ୍ରତି ବିମୁଖ ହେବାର ଲକ୍ଷ୍ୟ କରାଯାଉଛି। ଅପରାଧପ୍ରବଣ ନେତାଙ୍କର ସଂସଦ କିମ୍ବା ବିଧାନସଭାରେ ପ୍ରବେଶ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସମ୍ମାନ ଭୁଲୁଣ୍ଠିତ କରୁଛି।
ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ସ୍ଥାନରେ ନିର୍ମଳ ଚରିତ୍ରବାନ ବ୍ୟକ୍ତିଙ୍କର ଏ ଦେଶରେ ଅଭାବ ନାହିଁ। ପ୍ରାର୍ଥୀ ଚୟନରେ ଶୁଣାଯାଉଥିବା ଅର୍ଥ କାରବାର ଯଦି ସତ୍ୟ ହୋଇଥାଏ, ତେବେ ତ ଭିନ୍ନ କଥା। ନଚେତ ଗଣତନ୍ତ୍ର ଚାହେଁ ନିର୍ମଳ ଚରିତ୍ରବାନ ସାଧୁମାନଙ୍କର ଯୋଗଦାନ। ଇଂଲିଶ ପ୍ରାବନ୍ଧିକ ହର୍ଣ୍ଣବିଙ୍କ ମତରେ ଯେଉଁଦିନ ସମାଜର ନିମ୍ନସ୍ତରର ବ୍ୟକ୍ତିଟିଏ ବା କୌଣସି ଅନୁଷ୍ଠାନର ସର୍ବନିମ୍ନ କର୍ମଚାରୀଟି ସର୍ବୋଚ୍ଚ ଅଧିକାରୀଙ୍କୁ ତାଙ୍କ ନାମ ଧରି ସମ୍ବୋଧନ କରିପାରିବ, ସେଦିନ ଜାଣିବ ପୂର୍ଣ୍ଣ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି। ଯେତେଦିନ ଯାଏ ମନ୍ତ୍ରୀ, ବିଧାୟକ, ସାଂସଦ କିମ୍ବା ଉଚ୍ଚାଧିକାରୀଙ୍କ ଜୋତାକୁ ତାଙ୍କ ପାଦ ଯୁଗଳରେ ଖଞ୍ଜିଦେବାର ରୁଗ୍ଣ ମାନସିକତାରୁ ଆମେ ଉତ୍ତୀର୍ଣ୍ଣ ହୋଇ ପାରି ନାହୁଁ ସେତେଦିନ ପର୍ଯ୍ୟନ୍ତ ଆମ ତୋଷାମଦ ପଣର ଅନ୍ତ ଘଟିନାହିଁ ବୋଲି ବୁଝିବାକୁ ହେବ। ତୋଷାମଦ ଗଣତନ୍ତ୍ରର ପ୍ରମୁଖ ଅନ୍ତରାୟ। ମଧୁବାବୁଙ୍କ ଭାଷାରେ ‘ତୋଷାମଦିଆର କୁକୁର ପ୍ରକୃତି, ଅଇଁଠାପତ୍ରରେ ଧ୍ୟାନ’। କେବଳ ତୋଷାମଦର ମିଥ୍ୟା ଅମୃତ ପାନ କରାଇ ଦେଶ ସମ୍ପତ୍ତିକୁ ନିଜ ସମ୍ପତ୍ତିରେ ସାମିଲ କରିବାର ମାନସିକତା ଅଧିକାଂଶ ନେତା ଓ ଅଧିକାରୀଙ୍କୁ ଆକ୍ରାନ୍ତ କରିଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନଙ୍କ ଦ୍ୱାରା ଗତ ୪ ବର୍ଷରେ ବ୍ୟାଙ୍କ ଠକାମି ଜନିତ ଲୁଣ୍ଠିତ ଧନର ପରିମାଣ ୬୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ପୋଷା କୁକୁର ମୁହଁରେ ଦାନା ଗଣ୍ଡେ ଫିଙ୍ଗିଦେଇ ମାଲିକ ଘରୁ କଳାକନା ବୁଲାଇଲା ପରି ଜନତାକୁ ସାମାନ୍ୟ କିଛି ଦାନ କରି ତା’ର ବିପୁଳ ସମ୍ପତ୍ତିକୁ ଲୁଣ୍ଠନ କରାଯାଉଛି। କେବେ ଜନତାର ଜଡତା ଦୂର ହୋଇ ଜାଗୃତିର ନବସଂସ୍କରଣ ହେବ ତାହା ଈଶ୍ୱରଙ୍କୁ ଜଣା।
ସିଦ୍ଧଳ, ଜଗତ୍ସିଂହପୁର,
ମୋ-୯୯୩୭୪୫୦୫୪୦