Categories: ଜାତୀୟ

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଆର୍‌ଏସ୍‌ଏସ୍‌ର ୪ ଦିନିଆ କାର୍ଯ୍ୟକ୍ରମରେ ମୋରାଦାବାଦ୍‌ ଆସିଥିବା ଭାଗବତ ଉଦ୍‌ଯାପନୀ ସମାରୋହରେ ଏଭଳି ମତ ରଖିଛନ୍ତି। ଗତ ୬୦ ବର୍ଷ ହେବ ସଂଘ ଜନସେବା କରିଆସୁଛି। ଏହା ଭାଜପାକୁ ରିମୋଟରେ କଣ୍ଟ୍ରୋଲ କରୁଛି ବୋଲି କହିବା ଆଦୌ ଠିକ୍‌ ନୁହେଁ। ଭାରତରେ ଏବେ ୧.୩ ଲକ୍ଷ ଆର୍‌ଏସ୍‌ଏସ୍‌ ଶାଖା ରହିଛି। ଦେଶର ପ୍ରତି ନାଗରିକ ଏଥିରେ ସାମିଲ ହୋଇ ଦେଶସେବା କରିପାରିବେ ବୋଲି ଭାଗବତ ମତ ଦେଇଛନ୍ତି। ଘଣ୍ଟାଏ କାଳ ଉଦ୍‌ବୋଧନ ଦେଇ ସେ ହିନ୍ଦୁଧର୍ମ ଓ ସଂସ୍କୃତିର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଛନ୍ତି। ସମସ୍ତ ଭାରତୀୟ ହେଉଛନ୍ତି ହିନ୍ଦୁ ବୋଲି ସେ କହିଥିବାବେଳେ ସିଏଏ ଓ ଏନ୍‌ଆର୍‌ସି ବିଷୟରେ ପଦେ ବି କହିନାହାନ୍ତି।

Share