Categories: ଜାତୀୟ

ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍‌ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ

ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟକୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଆପରାଧିକ ପୃଷ୍ଠଭୂମି ଥିବା ଦାଗୀ ନେତାଙ୍କୁ କାହିଁକି ପ୍ରାର୍ଥୀ କରାଯାଉଛି ଦଳ ତା’ର ମଧ୍ୟ କାରଣ ଦର୍ଶାଇବେ। ଖାଲି ବିଜୟ ସମ୍ଭାବନାକୁ ଦେଖି ଟିକେଟ ଦେଲେ ଚଳିବ ନାହିଁ। ବରଂ ସମ୍ପୃକ୍ତ ପ୍ରାର୍ଥୀଙ୍କ ଆପରାଧିକ ମାମଲା ସହ ଯୋଗ୍ୟତା ଓ ମେରିଟ ସମ୍ପର୍କରେ ବି ଓ୍ବେବ୍‌ସାଇଟ୍‌ରେ ସାର୍ବଜନୀନ କରିବା ପାଇଁ ଜଷ୍ଟିସ୍‌ ରୋହିନ୍‌ଟନ ଫଲି ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରାଯାଇଥିଲା। ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲା ସମ୍ପର୍କରେ ପ୍ରାର୍ଥୀମାନେ ତଥ୍ୟ ସାର୍ବଜନୀନ କରିବେ ବୋଲି ୨୦୧୮ ସେପ୍ଟେମ୍ବରରେ ଏକ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟର ଅନୁପାଳନ ହେଉ ନ ଥିବା ଏବଂ ଅଧିକ ସଂସ୍କାର ଆବଶ୍ୟକ ଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ଅବମାନନା ପିଟିଶନ ହୋଇଥିଲା। ଆଇନଜୀବୀ ତଥା ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଅନ୍ୟ କେତେଜଣ ଆବେଦନକାରୀଙ୍କ ପିଟିଶନର ବିଚାର କରି ଖଣ୍ଡପୀଠ ଗୁରୁବାର ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସମସ୍ତ ଦଳ ନିଜ ନିଜ ବିଷୟରେ ସବିଶେଷ ତଥ୍ୟ ଫେସ୍‌ବୁକ୍‌ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ କରିବେ। ଏହାସହ ଗୋଟିଏ ଲେଖାଏ ଆଞ୍ଚଳିକ ଓ ଜାତୀୟ ଖବରକାଗଜରେ ମଧ୍ୟ ବିବରଣୀ ପ୍ରକାଶ କରିବାକୁ ପଡ଼ିବ। ଆପରାଧିକ ମାମଲା ଚାଲିଥିବା ନେତାଙ୍କୁ ଟିକେଟ ଦେବାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦଳଗୁଡ଼ିକ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବେ। ଦଳ ଏହି ନିର୍ଦ୍ଦେଶକୁ ଅବଜ୍ଞା କଲେ ଇସି ସୁପ୍ରିମକୋର୍ଟଙ୍କୁ ଏନେଇ ଅବଗତ କରାଇବେ। ବିଗତ ୪ଟି ସାଧାରଣ ନିର୍ବାଚନ ବେଳେ ରାଜନୀତିର ଅପରାଧୀକରଣ ଅତ୍ୟନ୍ତ ବୃଦ୍ଧିପାଇଛି ବୋଲି ରାୟ ଶୁଣାଇବା ବେଳେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share