Categories: ଜାତୀୟ

ରାଜନୈତିକ ଦଳ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ଦେଶର ରାଜନୈତିକ ଦଳଗୁଡ଼ିକ ପାଇଁ ବୁଧବାରଠାରୁ ନୂଆ ନିୟମ ଆରମ୍ଭ ହୋଇଛି। ଜନ ପ୍ରତିନିଧି ଆଇନ, ୧୯୫୧ ଅଧୀନରେ ପଞ୍ଜୀକୃତ ହେବାକୁ ଚାହୁଁଥିବା ଦଳଗୁଡ଼ିକୁ ଗଠନ ହେବାର ୩୦ ଦିନ ମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଏକ ଆବେଦନ ଦାଖଲ କରିବାକୁ ପଡ଼ିବ।
ଡିସେମ୍ବର ଆରମ୍ଭରେ ଇସିଆଇ ଏହି ନୂଆ ଗାଇଡ୍‌ଲାଇନ୍‌ ତିଆରି କରିଥିଲେ। ରାଜନୈତିକ ଦଳ ପଞ୍ଜୀକରଣ ଟ୍ରାକିଂ ପରିଚାଳନା ବ୍ୟବସ୍ଥା (ପିପିଆର୍‌ଟିଏମ୍‌ଏସ୍‌) ଅଧୀନରେ ସ୍ବଚ୍ଛ ବ୍ୟବସ୍ଥା ପ୍ରତିଷ୍ଠା କରିବା ହେଉଛି ଏହାର ଲକ୍ଷ୍ୟ। ଏପରି କରାଗଲେ ରାଜନୈତିକ ଦଳଗୁଡ଼ିକ ସମ୍ପର୍କରେ ତଥ୍ୟଗୁଡ଼ିକୁ ସାର୍ବଜନୀନ କରାଯାଇପାରିବ। ସମ୍ବିଧାନର ଅନୁଚ୍ଛେଦ ୩୨୪ ଏବଂ ଜନପ୍ରତିନିଧି ଆଇନର ଧାରା ୨୯ଏ ଅନୁଯାୟୀ ଇସିଆଇଙ୍କ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ‘ରାଜନୈତିକ ଦଳର ମାନ୍ୟତା ଲାଭ ପାଇଁ ଆଗ୍ରହୀ ଏକ ସଙ୍ଗଠନକୁ ପଞ୍ଜୀକରଣ ଲାଗି ୩୦ ଦିନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ।’ ଏହା ୨୦୨୦ ଜାନୁୟାରୀ ୧ ତାରିଖରୁ ଲାଗୁ ହୋଇଛି। ଗାଇଡ୍‌ଲାଇନ୍‌ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ http://eci.gov.in ରେ ବିସ୍ତୃତ ତଥ୍ୟ ଉପଲବ୍ଧ କରାଯାଇଛି। ଆବେଦନକାରୀମାନେ ସେମାନଙ୍କ ଆବେଦନର ସ୍ଥିତି ସମ୍ପର୍କରେ ପିପିଆର୍‌ଟିଏମ୍‌ଏସ୍‌ରୁ ଜାଣିପାରିବେ। ଏହାସହ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ଏବଂ ଇ-ମେଲ୍‌ ଜରିଆରେ ମଧ୍ୟ ଷ୍ଟାଟସ୍‌ ଅପ୍‌ଡେଟ୍‌ ଦିଆଯିବ।

Share