ରାଜନୈତିକ ବିଜ୍ଞାପନ ବନ୍ଦ କରିବ ଟୁଇଟର୍‌

ନ୍ୟୁୟର୍କ,୧।୧୧:ସୋସିଆଲ ମିଡିଆ ଟୁଇଟର ରାଜନୈତିକ ବିଜ୍ଞାପନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଏହାର ସିଇଓ ଜାକ୍‌ ଡୋର୍‌ସେ ଘୋଷଣା କରିଛନ୍ତି। ଟୁଇଟର ଜରିଆରେ ବିଶ୍ୱ ସ୍ତରରେ ସମସ୍ତ ରାଜନୈତିକ ବିଜ୍ଞାପନ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇଛି। ନଭେମ୍ବର ୨୨ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ଏବଂ ବିଶ୍ୱବ୍ୟାପୀ ସମସ୍ତ ନିର୍ବାଚନୀ ଓ ରାଜନୈତିକ ବିଜ୍ଞାପନ ପାଇଁ ଲାଗୁ ହେବ। ଆଗକୁ ବ୍ରିଟେନ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲାବେଳେ ତାହା ପୂର୍ବରୁ ଟୁଇଟର ଏଭଳି ପଦକ୍ଷେପ ନେଇଛି। ପୂର୍ବରୁ ମଧ୍ୟ ଏହି ସଂସ୍ଥା ରାଜନୈତିକ ବିଜ୍ଞାପନ ଉପରେ କେତେକ କଟକଣା ଲଗାଇଥିଲା।
ରାଜନୈତିକ ବାର୍ତ୍ତା ଅନ୍ୟମାନଙ୍କ ପାଖରେ ପହଞ୍ଚତ୍ଥାଏ, ଯେତେବେଳେ ଲୋକେ ଏହି ଆକାଉଣ୍ଟକୁ ଫଲୋ କରନ୍ତି କିମ୍ବା ରିଟୁଇଟ୍‌ କରନ୍ତି। ଏହାକୁ କିଣାଯାଇ ନ ଥାଏ। ପହଞ୍ଚାଇବା ପାଇଁ ଅର୍ଥ ଦେବା ଏଭଳି ନିଷ୍ପତ୍ତିକୁ ଦୂରେଇ ଦେଇଛି ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରୁଛି। ଏହି ନିଷ୍ପତ୍ତିକୁ ଅର୍ଥରେ ସାଲିସ କରାଯିବା ଉଚିତ ନୁହେଁ ବୋଲି ଜାକ୍‌ କହିଛନ୍ତି। ୨୦୧୮ରେ ଟୁଇଟର ୩ ନିୟୁତ ଡଲାରରୁ କମ୍‌ ମୂଲ୍ୟର ରାଜନୈତିକ ବିଜ୍ଞାପନ ପାଇଥିଲା ବୋଲି ଏହାର ମୁଖ୍ୟ ଫାଇନାନ୍ସିଆଲ ଅଫିସର ନେଡ୍‌ ସେଗଲ ଟୁଇଟ୍‌ କରିଛନ୍ତି। ରାଜନୈତିକ ନେତାମାନଙ୍କ ମିଥ୍ୟା ବିଜ୍ଞାପନକୁ ଅନୁମତି ଦେଉଥିବା ଫେସ୍‌ବୁକ୍‌ ସମାଲୋଚିତ ହୋଇଛି। ଟୁଇଟର୍‌ର ଏଭଳି ନିଷ୍ପତ୍ତି ଫଳରେ ନେତାଙ୍କ ମିଥ୍ୟା ବିବୃତିର ବିଜ୍ଞାପନ କରୁଥିବା ଫେସ୍‌ବୁକ୍‌ ଉପରେ ଚାପ ବୃଦ୍ଧି ପାଇବ।

Share