ରାଜପଥରେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଗୁରୁତର

ମାର୍ଶାଘାଇ, ୧୯।୨(ଡି.ଏନ.ଏ.): ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଦୁର୍ବୃତ୍ତମାନେ କେତେକ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣକରି ଟଙ୍କା ଛଡାଇ ନେଇଛନ୍ତି। ଏହି ଆକ୍ରମଣରେ ଜଣେ ଟ୍ରକ୍‌ ମାଲିକ ଗୁରୁତର ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଟ୍ରକ ମାଲିକ ହେଲେ ମହମଦ ହଲିମ ଖାଁ।
ଯେ, କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମାଧପୁର ଅଞ୍ଚଳର ଟ୍ରକ ମାଲିକ ମିର ଖୁରସିଦ, ସେକ୍‌ ଲିଆକ ଉଦ୍ଦିନ, ସେକ୍‌ ଅଜାର, ମହମଦ ହଲିମ ଖାଁ ପ୍ରମୁଖ ପାରାଦୀପ ଟ୍ରକ ସଂଘର ସଦସ୍ୟମାନେ ମଙ୍ଗଳବାର ରାତିରେ ଗାଡି ଜାମ ହେଉଥିବାରୁ ତଦାରଖ ପାଇଁ ରାଜପଥରେ ବୁଲୁଥିଲେ। ହଠାତ୍‌ ରାତ୍ର ପ୍ରାୟ ଗୋଟାଏ ସମୟରେ ସେହି ରାସ୍ତାରେ ଆସୁଥିବା ଏକ କାର ସମେତ ଦୁଇଟି ବାଇକରେ ୬ଜଣ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଗାଡି ଭିତରୁ ଭୁଜାଲି ଠେଙ୍ଗା ଆଦି ବାହାର କରି ମରଣାନ୍ତକ ଆକ୍ରମଣ କରିବା ସହିତ ସେମାନଙ୍କ ନିକଟରେ ଥିବା ପ୍ରାୟ ୨୦ହଜାର ଟଙ୍କା ଛଡାଇ ନେଇ ଯାଇଥିଲେ। ପାଟିକଲେ ଗୁଳି ଫୁଟାଇ ମାରିଦେବାକୁ ଧମକ ଦେଇଥିଲେ। ତେବେ ସେମାନଙ୍କ ମିଳିତ ଆକ୍ରମଣରେ ହଲିମ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏ ନେଇ ମିର ଖୁରସିଦ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ମହାକାଳପଡା ଥାନା ରାଜଗଡ ଗ୍ରାମର ପ୍ରମୋଦ କୁମାର ପ୍ରତିହାରୀ ଓ ତାଙ୍କ ଡ୍ରାଇଭର ଜ୍ୟୋତିଙ୍କ ସମେତ ଅନ୍ୟ ଚାରିଜଣଙ୍କ ନାମ ରହିଛି। ମାର୍ଶାଘାଇ ପୋଲିସ କେସ ନମ୍ବର ୬୫/୨୦, ଦଫା ୨୯୪ ,୩୪୧ ,୩୨୩ ,୩୨୪ ,୩୨୬ ,୩୦୭ ,୩୭୯ ,୫୦୬ ,୧୪୭ ,୧୪୮ ,୧୪୯ ଆଇପିସିରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି।

Share