ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡ଼ିକର ସହଜ ଚଳାଚଳ ନିମନ୍ତେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କେତେକ ଢାବା ଏବଂ ତା’ ପାଖରେ ଥିବା ଗ୍ୟାରେଜ ଖୋଲିବା ନିମନ୍ତେ ବାଲେଶ୍ୱର ଜିଲାପାଳ ଅନୁମତି ପ୍ରଦାନ କରିଛନ୍ତି।
ରୂପ୍‌ସା ଥାନା ହଳଦୀପଦା ବ୍ରିଜ୍‌ ନିକଟରେ ଥିବା ହୋଟେଲ ଅମ୍ରିତ ଢାବା, ବସ୍ତା ଥାନା କଟିପୋଲଠାରେ ଥିବା ହୋଟେଲ ମହାଲକ୍ଷ୍ମୀ ଢାବା, ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରଠାରେ ଥିବା ସିମୁଳିଆ ଢାବା, ସୋର ଥାନା ବାରିକପୁରସ୍ଥିତ ହୋଟେଲ ଜଗତଜନନୀ, ସଦର ଥାନା ବଣପାରିଆସ୍ଥିତ ହୋଟେଲ ବାପୁଜୀ ପ୍ଲାଜା ଏବଂ ଜଳେଶ୍ୱର ଥାନା ଚାଲନ୍ତିଠାରେ ଥିବା ନିରଞ୍ଜନ ଢାବା ଖୋଲିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ କେବଳ ମାଲବାହୀ ଗାଡ଼ି ପାର୍କିଂ ନିମନ୍ତେ ଅନୁମତି ଦିଆଯିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେତେକ ସ୍ବୟଂ ସହାୟକ ଗୋଷ୍ଠୀ ବାଲେଶ୍ୱର ଓ ସୋରରେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମଧ୍ୟାହ୍ନଭୋଜନ ବଣ୍ଟନ କରିଛନ୍ତି। ସେହିପରି ଜିଲା ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ହେଲପ ଲାଇନ ନମ୍ବର ୧୦୦ ଏବଂ ୦୬୭୮୨-୨୬୦୧୦୫ ଜାରି କରାଯାଇଛି। ଅସୁବିଧା ସମୟରେ ଲୋକେ ଏହି ନମ୍ବରକୁ କଲ୍‌ କରି ଆବଶ୍ୟକ ସହାୟତା ମାଗିପାରିବେ। ରାଶନ, ଗ୍ରୋଶରୀ ସମେତ ଆବଶ୍ୟକ ସାମଗ୍ରୀ ମଲ୍‌ ଏବଂ ଦୋକାନୀମାନଙ୍କ ପକ୍ଷରୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲାକୁ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୨୭ଜଣ ଓ ରାଜ୍ୟ ବାହାରୁ ଆସିଥିବା ମୋଟ ୧୨୧୮୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।