Categories: ଖେଳ

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ଏମ୍‌.ଏସ୍‌. ଧୋନୀ ଦି ଅନ୍‌ଟୋଲ୍ଡ ଷ୍ଟୋରି’ରେ ମୁଖ୍ୟନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ରାଜପୁତ। ୩୪ବର୍ଷୀୟ ଏହି ବଲିଉଡ୍‌ ଅଭିନେତା ରବିବାର ସକାଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୋରେ କହିଛନ୍ତି, ରାଜପୁତଙ୍କ ମୃତ୍ୟୁ ଖବର ମୋତେ ସ୍ତମ୍ଭୀଭୂତ ଓ ଗଭୀର ମର୍ମାହତ କରିଛି। ଜଣେ ଉଚ୍ଚଶିକ୍ଷିତ, କଠିନ ପରିଶ୍ରମୀ ଓ ସଫଳ ବ୍ୟକ୍ତିତ୍ୱ ହୋଇଥିବା ସ୍ଥଳେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ମୁଁ ବୁଝି ପାରୁ ନାହିଁ। ୨୦୧୬ର ବ୍ଲକ୍‌ବୁଷ୍ଟର ପାଇଁ ପାଟଣାରେ ଜନ୍ମିତ ଏହି ଅଭିନେତାଙ୍କୁ ଧୋନୀଙ୍କ ଭୂମିକା ପାଇଁ ମୋତେ ଟ୍ରେନିଂ ଦେବାକୁ ହୋଇଥିଲା। ଜଣେ କ୍ରିକେଟରଙ୍କ ଭଳି ରାଜପୁତଙ୍କୁ ୯ ମାସ ଧରି ତାଲିମ ଦେଇଥିଲି। ଧୋନୀଙ୍କ ହେଲିକପ୍ଟର ଶଟ୍‌ ଶିଖାଇବାକୁ ପଡ଼ିଥିଲା ବୋଲି ୫୭ ବର୍ଷୀୟ ପୂର୍ବତନ ଜାତୀୟ ଚୟନ କମିଟି ମୁଖ୍ୟ କହିଛନ୍ତି। କ୍ରିକେଟରେ ଉଇକେଟକିପିଂ ସହଜ କଥା ନୁହେଁ। ଶିକ୍ଷାଦାନ ବେଳେ ଅନେକଥର ବଲ୍‌ ରାଜପୁତଙ୍କ ହାତ, କାନ୍ଧ ଓ ଜଙ୍ଘରେ ବାଜିଛି। ହେଲେ ଶେଷରେ ସେ ଉଇକେଟକିପିଂ ଶିଖି ଯାଇଥିଲେ। ଅନ୍ୟପକ୍ଷରେ ମୋରେ କହିଛନ୍ତି କୋଭିଡ୍‌-୧୯ ମହାମାରୀ ବେଳେ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ସଂକ୍ରମଣ ଆଶଙ୍କା ଯୋଗୁ ଲକ୍‌ଡାଉନ୍‌ ବେଳେ ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ଘରେ ରହିବାକୁ ପଡ଼ିଥାଏ। ଏହାଦ୍ୱାରା ମାନସିକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ। ବର୍ତ୍ତମାନ ପରିସ୍ଥିତିରେ ଆମମାନଙ୍କୁ ମାନସିକ ଭାବେ ଦୃଢ଼ ହେବାକୁ ପଡ଼ିବ। ଆମ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ହେବ। ବିଶେଷକରି ଯେଉଁମାନେ ଏକାକୀ ରହୁଛନ୍ତି ସେମାନଙ୍କ ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ବିଷୟ ପ୍ରତି ରୁଚି ରହିଛି ସେଥିରେ ଆମକୁ ବ୍ୟସ୍ତ ରଖିବାକୁ ହେବ ବୋଲି ଭାରତର ପୂର୍ବତନ ଉଇକେଟକିପର କହିଛନ୍ତି।

 

Share