ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା। ଫୁଲୁରୀ ତେଲ ଓ ଓଷୁଅ ଲାଗି ପରେ ଏକାଦଶୀରେ ଦଶମୂଳ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଦାରୁବିଗ୍ରହଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଛନ୍ତି। ଏହାସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ।
ଆଷାଢ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦକୁ ବିଜେ ହେବାର ପରମ୍ପରା ରହିଛି। ରବିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ। ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ପଡିଥିବା ରୂପାଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ କରି ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢିଆରୀ ପକାଇଥିବା ପାହାଡା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ। ଘଣ୍ଟ, ଛତା, କାହାଳୀ ସହ ଥାଳିଗୁଡ଼ିକୁ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ନେଇ ଯାଇଥିଲେ। ଶ୍ରୀନଅର ରାଜବାଟୀରେ ପଡିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଆସିଥିଲେ। ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧେଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ। ଦଇତାପତିମାନେ ଶାଢି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର ଘର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଠାକୁରଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ। ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିଥିଲେ।

ଆଜି ଘଣା ଲାଗି: ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସପ୍ତାବରଣ କାର୍ଯ୍ୟ ଚାଲିଛି। ସେଥିମଧ୍ୟରେ ରବିବାର ଘଣାକଟା ହୋଇଛି। ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଘଣାଲାଗି କରାଯିବ। ଘଣାଲାଗି କାର୍ଯ୍ୟ ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କର ମଙ୍ଗଳ ଆଳତି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ୬ଟାରେ ଖଳି ବିଜେ ହୋଇ ରାତ୍ର ୧୦ଟା ସୁଦ୍ଧା ଘଣାଲାଗି ସରିବ। ଏହାପରେ ଜୟବିଜୟ ଦ୍ୱାର ଫିଟି ରାତ୍ର ସାଢେ ୧୦ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିବ।

Share