ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଗଛ ହିଁ ଜୀବନ। ବୃକ୍ଷ ରହିଲେ ପରିବେଶ ସୁସ୍ଥ ରହିବ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟର ଉପକୂଳ ଅଞ୍ଚଳରେ ବହୁତ କ୍ଷତି ହୋଇଛି। ୨୨ଲକ୍ଷ ଗଛ ନଷ୍ଟ ହୋଇଛି। ଏହାକୁ ନେଇ ଚଳିତ ବର୍ଷ ୮୦ଲକ୍ଷ ବୃକ୍ଷରୋପଣ କରାଯିବାର ଯୋଜନା କରାଯାଇଛି। ଏଥିସହ ୫୦ହଜାର ଚାରା ବିଭିନ୍ନ ସଂସ୍ଥା ଏବଂ ଜନସାଧାରଣଙ୍କୁ ମାଗଣାରେ ଦିଆଯିବ। ସେହିଭଳି ବର୍ଷା ଋତୁରେ ରାଜ୍ୟ ଜଙ୍ଗଲ ବିଭାଗ ୬କୋଟି ଗଛ ଲଗାଇବାକୁ ଯୋଜନା କରିଥିବା ବେଳେ ୪ କୋଟି ଗଛ ବିଭିନ୍ନ ସଂସ୍ଥା, ଶିକ୍ଷା ସଂସ୍ଥା ଓ ଜନସାଧାରଣଙ୍କୁ ଦିଆଯିବ। ଏଣୁ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ସାମିଲ ହୁଅନ୍ତୁ। ଓଡ଼ିଶାକୁ ସବୁଜ ସୁନ୍ଦର କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମହୋତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଉଳ ଗଛ ଲଗାଇବା ସହ ଚାରା ବଣ୍ଟନ କରିଥିଲେ।

Share