ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ (ଏଡିଜେ) ଇତିଶ୍ରୀ ମାଳବିକା ଭୂୟାଁ ଅଭିଯୁକ୍ତ ଶୋଭାରାଣୀ ମହାରଣାଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି।
ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଡଭୋକେଟ ଭଜହରି କର କହିଛନ୍ତି, ରାଜମିସ୍ତ୍ରି ଶରତ ୨୦୧୭ ଜୁନ୍‌ ୭ରେ କାମ କରିବାକୁ ଯାଇ ଆଉ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଚିନ୍ତିତ ହେବା ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନ ଥିଲେ। ପରଦିନ ସକାଳେ ଅନ୍ଧୁଟୀର କେତେଜଣ ଲୋକ ନିକଟସ୍ଥ ପାଟକୁ ଶୌଚ ହେବାକୁ ଯାଇଥିବା ବେଳେ ଶରତଙ୍କ ମୃତଦେହ ଦେଖି ଗାଁରେ ସୂଚନା ଦେଇଥିଲେ। ଏନେଇ ଶରତଙ୍କ ପୁଅ ଶ୍ରୀକାନ୍ତଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ. ୧୫୭/୧୭) ରୁଜୁ କରି ମୃତଦେହ ପଞ୍ଚନାମା କରିଥିଲା। ତଦନ୍ତ ବେଳେ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଶାଳିଜଙ୍ଗ ହଂସରାମପାଟଣାର ଶୋଭାରାଣୀ ମହାରଣାଙ୍କ ସହ ଶରତଙ୍କ ସମ୍ପର୍କ କଥା ଜଣାପଡ଼ିଥିଲା। ଶୋଭାରାଣୀ କିନ୍ତୁ ଚଞ୍ଚକତାପୂର୍ବକ ତଦନ୍ତର ମୋଡ଼ ବଦଳାଇବା ପାଇଁ ଅନ୍ୟ ଜଣେ ଲୋକଙ୍କ ନଁ। କହିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବା ଜଣାଯାଇଥିଲା। ପରେ ଜଣେ ମହିଳାଙ୍କ କଥାରୁ ପୋଲିସକୁ ସଫଳତା ମିଳିଥିଲା। ମହିଳା ଜଣକ କହିଥିଲେ ଯେ, ଜୁନ୍‌ ୭ ତାରିଖରେ ଶୋଭାରାଣୀଙ୍କୁ ସାଇକେଲରେ ବସାଇ ଶରତ ନେଇଥିଲେ। କିନ୍ତୁ ରାତି ୯ଟାରେ ଶୋଭାରାଣୀ ଏକୁଟିଆ ଫେରିଥିଲେ। ଶୋଭାରାଣୀଙ୍କୁ ପୋଲିସ ଗିରଫ କଲାପରେ ସେ ସବୁକଥା ମାନିଥିଲେ। ସେ ଜଣେ ବିଧବା। ଝିଅ ବାହାଘର ସାରିଥିଲେ। ଶରତଙ୍କ ସହ ସେ କାମ କରିବାକୁ ଯାଉଥିଲେ। ତେଣୁ ଭରସା କରି ଜମିପଟ୍ଟା, ସୁନା ନାକଫୁଲ, ଟଙ୍କା ଆଦି ଶରତଙ୍କୁ ଦେଇଥିଲେ। ହତ୍ୟାର ୨୦/୨୫ ଦିନ ପୂର୍ବରୁ କାଗଜପତ୍ର, ଟଙ୍କା ଓ ସୁନା ନାକଫୁଲ ଆଦି ଶରତଙ୍କଠାରୁ ନେବା ପାଇଁ ଶୋଭାରାଣୀ ଚାହିଁଥିଲେ। କିନ୍ତୁ ଶରତ ନ ଦେବାରୁ ଝଗଡ଼ା ହୋଇଥିଲା। ତା’ପରେ ସେ ଏଭଳି କାଣ୍ଡ କରିଥିଲେ। ଶୋଭାରାଣୀଙ୍କ ବୟାନ ଆଧାରରେ ପୋଲିସ ଶରତଙ୍କ ଘରେ ପହଞ୍ଚି ଉପରୋକ୍ତ କାଗଜପତ୍ର ଜବତ କରିଥିଲା। ୧୪ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।

Share