ରାଜରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ ଅଫିସ,୨୯।୨: ଭଦ୍ରକ ବନ୍ତ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜରାସ୍ତାରେ ଜଣେ ବିକୃତ ମସ୍ତିଷ୍କ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଏକାକି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିଛି ଯୁବକଙ୍କ ଉଚିତ ପଦକ୍ଷେପ ଯୋଗୁ ବଞ୍ଚିଲେ ମାଆ ଓ ନବଜାତ ପୁଅ। ତାଙ୍କ ପାଖରେ କେହି ନ ଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି କିଛି ସାମାଜିକ ସଙ୍ଗଠନର ଯୁବକ ସେଠାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁ ଓ ମା’ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଅପରପକ୍ଷେ ଶିଶୁଟିକୁ ହସ୍ପିଟାଲରେ ଛାଡ଼ି ଉକ୍ତ ମହିଳା ଜଣକ କୁଆଡ଼େ ଚାଲିଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମହିଳା ଜଣକ ବିକୃତ ମସ୍ତିଷ୍କ ଥିବା ବେଳେ ସେ ସବୁବେଳେ ବନ୍ତ ଛକ ସହରର ଚାରିଆଡେ ବୁଲିଥାନ୍ତି। ଏଭଳି ଅସହାୟତାର ସୁଯୋଗ ନେଇ କେହି ଦୃବୁର୍ତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ, ସେ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ତେବେ ଏହି ମହିଳା ଜଣକ ବିକୃତ ମସ୍ତିଷ୍କ ହୋଇଥିବାରୁ ତାଙ୍କର ଓ ତାଙ୍କ ସ୍ବାମୀଙ୍କ ପରିଚୟ ମିଳି ପାରିନାହିଁ।

Share