ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ: ଭାଜପା

ଭୁବନେଶ୍ବର,୧୬ା୧(ବ୍ୟୁରୋ):ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳିଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା କରୁନାହାନ୍ତି କି ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ କିଛି ପଦକ୍ଷେପ ନ ନେବା ଲଜ୍ଜା ଓ ପରିତାପର ବିଷୟ ବୋଲି ଭାଜପା ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, ଶାସକ ଦଳ ଏବେ ଖେଳକୁ ଢାଲ କରି ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଖାଉଛି, ଯାହାର ଚିତ୍ର ଆପଣଙ୍କ ସାମ୍ନାରେ ଜଳ ଜଳ ହୋଇ ଦେଖାଯାଉଛି। ଓଡ଼ିଶାର ଗର୍ବ ଗୌରବକୁ ବୃଦ୍ଧି କରାଇଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଅକାଳ ମୃତ୍ୟୁ ଆମ ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ା ଗତ ୧୦ ତାରିଖରେ ରାଜଶ୍ରୀ ନିଖୋଜ ହୋଇଥିଲେ। ୧୩ ତାରିଖ ଦିନ କଟକ ଜିଲା ଗୁରୁଡ଼ିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବା ପରେ ତପତ୍ରତାର ସହ ତଦନ୍ତ ହୋଇଥିଲେ ରାଜଶ୍ରୀଙ୍କ ମୃତ୍ୟୁ ହୋଇ ନ ଥାନ୍ତା। ଶନିବାର ମହିଳାମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଶ୍ରୀଙ୍କ ଗାଁକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ା ମୃତ ରାଜଶ୍ରୀଙ୍କ ବାପା, ମା’ ଓ ପରିବାର ସଦସ୍ୟମାନେ ଭୟର ବାତାବରଣରେ ଅଛନ୍ତି ା ଯଥାଶୀଘ୍ର ରାଜ୍ୟ ସରକାର ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ ବୋଲି ସେ ଦାବି କରିଛନ୍ତି।

Share