ରାଜସ୍ଥାନରେ ଖସିଲା ୨.୭୮ କେଜିର ବିରଳ ଉଲ୍‌କାପିଣ୍ଡ

ଯୋଧପୁର, ୧୯।୬- ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର ଏକ ରହସ୍ୟମୟ ବସ୍ତୁ ଖସିପଡ଼ିଥିଲା। ଏହାକୁ ଉଲ୍‌କାପିଣ୍ଡ ବୋଲି କୁହାଯାଉଥିବାବେଳେ ଓଜନ ୨.୭୮ କେଜି ରହିଛି। ଏହି ବସ୍ତୁକୁ ଦେଖିବା ଲାଗି ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସାଞ୍ଚୋର ଥାନା ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି, ସକାଳ ୭ଟାରେ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ଚମତ୍କାର ପଥର ପ୍ରଚଣ୍ଡ ଶବ୍ଦ କରି ଭୂମିରେ ପଡ଼ିଥିଲା। ଲୋକମାନେ ସେଠାରେ ପହଞ୍ଚତ୍ ଦେଖିଲେ ଏହା କଳା ରଙ୍ଗର ଏକ ବସ୍ତୁ ଥିଲା। ଭୂମିରେ ପଡ଼ିବା ପରେ ଏହା ୪-୫ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି କରିଥିଲା। ସେତେବେଳେ ଏହା ବହୁତ ଉତ୍ତପ୍ତ ଥିଲା। ଥଣ୍ଡା ହେବାପରେ ଏହାକୁ ଏକ କାଚ ଜାର ମଧ୍ୟରେ ରଖାଯାଇଛି। ଯୋଦ୍ଧପୁର ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ଏହାର ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଆକାଶରେ ବେଳେବେଳେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଏହି ଧାତୁ ଗତି କରୁଥିବାର ଦେଖିବାକୁ ମିଳିଥାଏ। ଏହାକୁ ଉଲ୍‌କା କୁହାଯାଇଥାଏ। ସାଧାରଣତଃ ରାତିରେ ଏମାନେ ଗତି କରିଥାନ୍ତି। କିନ୍ତୁ ପୃଥିବୀରେ ଏମାନେ ବହୁତ କମ୍‌ ସଂଖ୍ୟାରେ ପଡ଼ିଥାନ୍ତି।

Share