Liam Livingstone of Rajasthan Royals hits over the top for six during match 45 of the Vivo Indian Premier League Season 12, 2019 between the Rajasthan Royals and the Sunrisers Hyderabad held at the Sawai Mansingh Stadium in Jaipur on the 27th April 2019 Photo by: Deepak Malik /SPORTZPICS for BCCI
ଜୟପୁର, ୨୮।୫- ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ପରେ ଲିଆମ ଲିଭିଙ୍ଗଷ୍ଟୋନ ଓ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ସନ୍ରାଇଜର୍ସ ପକ୍ଷରୁ ଧାର୍ଯ୍ୟ ୧୬୧ ରନ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯.୧ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ୧୨ ମ୍ୟାଚରୁ ୫ମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୧୧ ମ୍ୟାଚରୁ ୬ଷ୍ଠ ପରାଜୟ ବରଣ କରି ସନ୍ରାଇଜର୍ସ ୧୦ ପଏଣ୍ଟରେ ସ୍ଥିର ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନ୍ରାଇଜର୍ସ ଡେଭିଡ ଓ୍ବାର୍ନର ଓ ମନୀଷ ପାଣ୍ଡେଙ୍କ ଉପଯୋଗୀ ଇନିଂସ ସହାୟତାରେ ୧୬୦ ରନର ସମ୍ମାନଜନକ ସ୍କୋର କରି ପାରିଥିଲା। ମିଡଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିଫଳତା ଦଳପାଇଁ ମହଙ୍ଗା ପଡ଼ିଥିଲା। ଓ୍ବାର୍ନର ୩୨ ବଲ୍ରୁ ୩୭ ରନ କରିଥିବାବେଳେ ମନୀଷ ୩୬ ବଲ୍ରୁ ୯ ଚୌକା ସହାୟତାରେ ସର୍ବାଧିକ ୬୧ ରନ କରିଥିଲେ। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ବରୁଣ ଆରୋନ, ଓଶାନେ ଥୋମାସା, ଶ୍ରେୟାସ ଗୋପାଳ ଓ ଜୟଦେବ ଉନାଡ଼କଟ ୨ଟି ଲେଖାଏ ଉଇକେଟ ନେଇଥିଲେ।
ଅଜିଙ୍କ୍ୟ ରାହାନେ ଓ ଲିଆମ ଲିଭିଙ୍ଗଷ୍ଟୋନ ଓପନିଂ ଯୋଡ଼ିରେ ୭୮ ରନ ସଂଗ୍ରହ କରି ରାଜସ୍ଥାନ ରୟାଲ୍ସ ବିଜୟ ପାଇଁ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିଥିଲେ। ରାହାନେ ୩୪ ବଲ୍ରୁ ୩୯(୪ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ଲିଭିଙ୍ଗଷ୍ଟୋନ ଖେଳିଥିଲେ ବିସ୍ଫୋରକ ଇନିଂସ। ସେ ୨୬ ବଲ୍ରୁ ୪ ଚୌକା ଓ ୩ ଛକା ସହାୟତାରେ ୪୪ ରନ କରି ଆଉଟ ହୋଇଥିଲେ। ମିଡଲ ଅର୍ଡରରେ ଅଧିନାୟକ ଷ୍ଟିଭେନ ସ୍ମିଥ(୧୬ ବଲ୍ରୁ ୨୨) ବିଶେଷ ସଫଳ ହୋଇ ନ ଥିଲେ ହେଁ ସାମସନ ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ସେ ୩୨ ବଲ୍ରୁ ୪ ଚୌକା ଓ ୧ ଛକା ସହାୟତାରେ ୪୮ ରନ କରି ଅପରାଜିତ ରହିଥିଲେ। ସନ୍ରାଇଜର୍ସ ପକ୍ଷରୁ ଶାକିବ ଅଲ୍ ହାସନ, ରଶିଦ ଖାଁ, ଖଲିଲ ଅହମଦ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।